ବଡ଼ବିଲ ପୌର ଅଧିକାରୀ ଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବାକୁ ଉଦ୍ୟମ ବିଫଳ

ବଡ଼ବିଲ, ୦୮/୦୧/୨୦୨ ୪ (ଓଡ଼ିଶା ସମାଚାର)- ବଡ଼ବିଲ ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ବିଫଳ ହୋଇଛି । ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବଡ଼ବିଲ ପୌର କାର୍ୟ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି । ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ନିଜ ଚାମ୍ବରରେ ବସିଥିଲାବେଳେ ବଡ଼ବିଲ ଡେଲି ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଜଣେ ଯୁବକ ତାଙ୍କ ଚାମ୍ବର ଭିତରେ ପଶିଥିଲେ । କିଛି କଥାବାର୍ତ୍ତା ପରେ ସେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ଗୋଟିଏ ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢ଼ାଳିଦେଇ ନିଆଁ ଲଗାଇବା ପାଇଁ ଲାଇଟର ବାହାର କରିଥିଲେ । ତେବେ ଏତିକି ବେଳେ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାଟି କରିବା ସହ ନିଜ ଚାମ୍ବରରୁ ଧାଇଁ ବାହାରକୁ ଚାଲିଆସିଥିଲେ । ପାଟି ଶୁଣି କାର୍ୟ୍ୟାଳୟରେ ଥିବା ପୌର କର୍ମଚାରୀମାନେ ସେଠାକୁ ଧାଇଁ ଆସି ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତାଙ୍କୁ କାବୁ କରିନେଇଥିଲେ । ଏନେଇ ତୁରନ୍ତ ବଡ଼ବିଲ ପୋଲିସକୁ ଖବର ଦିଆଯାଇଥିଲା । ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ନିଜ ହେପାଜତକୁ ନେଇଥିଲା । ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ପକ୍ଷରୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଅଭିଷେକଙ୍କ ମା’ ଙ୍କ କହିବା କଥା ପୁଅ ଯାହା କରିଛି ଭୂଲ କରିଛି । ତେବେ ନିଜ ଘର ସମ୍ମୁଖରେ ସରକାରୀ ଜମିରେ କିଛି ଦୋକାନ ଘର ରହିଛି । ସେଗୁଡ଼ିକର ଉଚ୍ଛେଦ ନିମନ୍ତେ ବର୍ଷ ବର୍ଷ ଧରି ପୌର କାର୍ୟ୍ୟାଳୟକୁ ଧାଇଁଥିଲେହେଁ କିଛି ସୁଫଳ ମିଳି ନଥିଲା। ଏପରିକି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବି ନିରାଶ ହେବାକୁ ପଡ଼ିଥିଲା । ହାଇ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ଅଭିଷେକ । ଏ ସମସ୍ତ ପ୍ରୟାସ ସତ୍ତ୍ୱେ ଉଚ୍ଛେଦ ନହେବାରୁ ସେ ଅଧିକାଂଶ ସମୟ ମାନସିକ ଚିନ୍ତାଗ୍ରସ୍ତ ରହୁଥିଲେ । ଆଜି ସେ ଏଭଳି ପଦକ୍ଷେପ ନେବେ ବୋଲି ସେ ଜାଣି ନଥିଲେ । ଏନେଇ ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Leave a Reply

Your email address will not be published. Required fields are marked *