ଜଗତସିଂହପୁର ଜିଲ୍ଲା HPV ଟିକାକରଣ ଅଭିଯାନ ସମ୍ବନ୍ଧୀୟ ଜିଲ୍ଲା ଟାସ୍କ ଫୋର୍ସ ସଭା ଅନୁଷ୍ଠିତ

ଜଗତସିଂହପୁର,୧୩/୦୩/୨୦୨୬(ଓଡ଼ିଶା ସମାଚାର)- ଆଜି ପୁର୍ବାହ୍ନ ରେ, ଜିଲ୍ଲା ପ୍ରଶାସନ ଜଗତସିଂହପୁରରେ ଏଡିଏମ (ଜେନେରାଲ) ଶ୍ରୀ ଜ୍ୟୋତିଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ କକ୍ଷରେ HPV ଟିକାକରଣ ଅଭିଯାନ ସମ୍ବନ୍ଧୀୟ ଜିଲ୍ଲା ଟାସ୍କ ଫୋର୍ସ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ଜିଲ୍ଲା ସ୍ତରର ବିଭିନ୍ନ ବିଭାଗର ନୋଡାଲ ଅଧିକାରୀମାନେ ଯୋଗଦେଇଥିଲେ। ସେଥିରେ ସିଡିଏମଓ ଏବଂ ପିଏଚଓ ଡା. ରାଜେନ୍ଦ୍ର କୁମାର ପଣିଗ୍ରାହୀ, ଏଡିପିଏଚଓ (ଏଫଡବ୍ଲ୍ୟୁ) ଡା. ପ୍ରମୋଦ କୁମାର ବାରିକ, ଏଡିପିଏଚଓ (ଡିସି) ଡା. ବସନ୍ତୀ ପାଲ, ଡିପିଏମ ଶ୍ରୀମତୀ ସୋନାଲି ପ୍ରିୟଦର୍ଶିନୀ, ଡିଏମଆରସିଏଚ ଶ୍ରୀମତୀ ସନ୍ଧ୍ୟାରାଣୀ ପାଣ୍ଡା, ଡିଏସଡବ୍ଲ୍ୟୁଓ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ଡିଡବ୍ଲ୍ୟୁଓ ଶ୍ରୀ ପି.ଏମ. ପ୍ରଧାନ, ଏଡିଇଓ ଶ୍ରୀମତୀ ଲକ୍ଷ୍ୟହୀରା ଲାବଣ୍ୟବତୀ ଦେବୀ, ଏପିଏମ ଶ୍ରୀ ମନୋରଞ୍ଜନ ମହାପାତ୍ର, ଏସିଏସଓ ଶ୍ରୀ ନରସିଂହ ବେହେରା, ଡିସିପିଓ ଶ୍ରୀ କାନ୍ହୁ ଚରଣ ରାଉତ, ଡିଆଇପିଆରଓ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ସେଣ୍ଟ ଜେଭିଅର୍ସ ହାଇ ସ୍କୁଲର ଉପ-ପ୍ରଧାନଶିକ୍ଷକ, ଡିଏଲଏମ ଶ୍ରୀ ପାର୍ଥସାରଥୀ କରଶର୍ମା, ଆଇସିଏ ଶ୍ରୀ ରାଜେଶ କୁମାର ପଟି, ସିସିଟି ଇତ୍ୟାଦି ଉପସ୍ଥିତ ଥିଲେ।

ଏହି ଅବସରରେ ଏଡିଏମ (ଜି) ଶ୍ରୀ ଜ୍ୟୋତିଶଙ୍କର ରାୟ ଜନସାଧାରଣଙ୍କ ମଧ୍ୟରେ HPV ଟିକାକରଣ ଅଭିଯାନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ମାଇକିଂ, ଘରେ ଘରେ ସଚେତନତା ଅଭିଯାନ ଏବଂ ସମସ୍ତ ମାଧ୍ୟମ ଦ୍ୱାରା ପ୍ରଚାର କରିବାକୁ ଗୁରୁତ୍ୱ ଦେଇଥିଲେ, ଯାହାଦ୍ୱାରା ସମସ୍ତ ଲକ୍ଷ୍ୟଭୁକ୍ତ କନ୍ୟାମାନଙ୍କୁ ଟିକାକରଣ କରାଯାଇପାରିବ।

ସିଡିଏମଓ ଏବଂ ପିଏଚଓ ଡା. ରାଜେନ୍ଦ୍ର କୁମାର ପଣିଗ୍ରାହୀ HPV ଟିକାକରଣ ଅଭିଯାନର ସଫଳତା ପାଇଁ ବିଭିନ୍ନ ବିଭାଗର ମଲ୍ଟି-ଷ୍ଟେକହୋଲ୍ଡର ଦାୟିତ୍ୱ ବିଷୟରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ। ସେ ଜଣାଇଥିଲେ ଯେ ଏହି ଟିକାକରଣ କାର୍ଯ୍ୟକ୍ରମ 01.03.2026 ଠାରୁ ଜିଲ୍ଲାର ସମସ୍ତ CHC ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ସକାଳ 9ଟା ଠାରୁ ଦିନ 2ଟା ପର୍ଯ୍ୟନ୍ତ (ଛୁଟି ଦିନ ବାଦ ଦେଇ) ଚାଲିଛି।

ଏଡିପିଏଚଓ (ଏଫଡବ୍ଲ୍ୟୁ) ଡା. ପ୍ରମୋଦ କୁମାର ବାରିକ କିଶୋରୀମାନଙ୍କ ପାଇଁ HPV ଟିକାକରଣର ଯୋଗ୍ୟତା ମାନଦଣ୍ଡ (Eligibility Criteria) ବିଷୟରେ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ ଯେଉଁ କିଶୋରୀମାନେ 14 ବର୍ଷ ପୂର୍ଣ୍ଣ କରିଛନ୍ତି କିନ୍ତୁ 15 ବର୍ଷରେ ପ୍ରବେଶ କରିନାହାନ୍ତି, ସେମାନେ ଏହି ଟିକାକରଣ ପାଇଁ ଯୋଗ୍ୟ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏହି ଟିକାକରଣ ସମସ୍ତ ସ୍ୱାସ୍ଥ୍ୟ ସଂସ୍ଥା ସ୍ତରରେ (DHH, CHC ଇତ୍ୟାଦି) ନିର୍ଦ୍ଧାରିତ ଟିକାକରଣ ସେସନ୍ ମାଧ୍ୟମରେ କାର୍ଯ୍ୟନ୍ବିତ କରାଯାଉଛି।

ସେ ଅଧିକ କହିଥିଲେ ଯେ ଏହି ଅଭିଯାନରେ ଗାର୍ଡାସିଲ-4 (Gardasil-4) ଟିକା ବ୍ୟବହାର କରାଯାଉଛି, ଯାହା Human Papilloma Virus (HPV) ର 6, 11, 16 ଏବଂ 18 ପ୍ରଜାତିର ଭାଇରସ୍‌ରୁ ସୁରକ୍ଷା ପ୍ରଦାନ କରିଥାଏ।

ଏଡିପିଏଚଓ (ଏଫଡବ୍ଲ୍ୟୁ) ଆହୁରି ଜଣାଇଥିଲେ ଯେ ଜିଲ୍ଲାରେ ମୋଟ 7497 ଜଣ ଲକ୍ଷ୍ୟଭୁକ୍ତ କିଶୋରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 1115 ଜଣଙ୍କୁ CHC ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକା ପ୍ରଦାନ କରାଯାଇଛି।

ଡିପିଏମ ଶ୍ରୀମତୀ ସୋନାଲି ପ୍ରିୟଦର୍ଶିନୀ କହିଥିଲେ ଯେ ଏପର୍ଯ୍ୟନ୍ତ ଜିଲ୍ଲାରେ 72ଟି ଇମ୍ୟୁନାଇଜେସନ୍ ସେସନ୍ ସଫଳତାର ସହିତ ଆୟୋଜିତ ହୋଇସାରିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଭାଗର ମଧ୍ୟରେ ଆନ୍ତର୍ବିଭାଗୀୟ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।

ଅନ୍ତେ ଡିଏମଆରସିଏଚ ଶ୍ରୀମତୀ ସନ୍ଧ୍ୟାରାଣୀ ପାଣ୍ଡା (ଡେପୁଟି ମ୍ୟାନେଜର) ସଭାରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ଅଂଶଗ୍ରହୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *