ବସନ୍ତପୁର ରେ ଘର ପୋଡ଼ି

ଗରଦପୁର, ୧୦/୦୩/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତଥା ଗରଦପୁର ତହସିଲ ଅଧିନ ତେଣ୍ଡାକୁଡ଼ା ପଂଚାୟତ ତଥା ତେଣ୍ଡାକୁଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ବସନ୍ତପୁର ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୭ ବଖରା ଘର ପୋଡ଼ି ଯାଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ବସନ୍ତପୁର ଗାଁ ର ଦୀପକ ମଲିକ୍, ଚକ୍ରଧର ମଲିକ୍, ଦିଲିପ ମଲିକ୍ ,ଧୁଳେଶ୍ୱର ମଲିକ୍, ଦୋଳ ଗୋବିନ୍ଦ ମଲିକ୍ ଓ ଗଗନ ମଲିକ୍ ଙ୍କର ମୋଟ୍ ୭ ବଖରା ଘର ସମେତ ଘରେ ଥିବା ଧାନ, ଚାଉଳ ଆଦି ସଶ୍ୟ, ଘରର ସମସ୍ତ ଆସବାବ ପତ୍ର , ପିନ୍ଧା ବସ୍ତ୍ର ଏପରିକି ଘରେ ଥିବା ସମସ୍ତ କାଗଜପତ୍ର, ନଗଦ ଟଙ୍କା ପଇସା ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ସୌଭାଗ୍ୟକୁ ଘରେ ନିଆଁ ଲାଗିଯିବା ପରେ ସମସ୍ତେ ଘରୁ ପଦାକୁ ବାହାରି ଆସିଥିଲେ ଓ ଗୃହପାଳିତ ଗାଈ ଗୋରୁ ଆଦିଙ୍କୁ ମଧ୍ୟ ବାହାରକୁ ନେଇ ଆସିଥିଲେ । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ।

ଖବର ପାଇ ସ୍ଥାନୀୟ ତେଣ୍ଡାକୁଡ଼ା ସରପଂଚ ମାନସ ରାଉତ ଓ ସମିତି ସଭ୍ୟ ବାସୁଦେବ ବେହେରା ପହଂଚି ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ । ତେଣ୍ଡାକୁଡ଼ା ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତି ଆକଳନ କରିଛନ୍ତି ଓ ଖୋଲା ଆକାଶ ତଳେ ଥିବା ସମସ୍ତ ବିପନ୍ନ ପରିବାରଙ୍କୁ ଜରିପାଲ ଦେଇଛନ୍ତି । ସମିତି ସଭ୍ୟ ବାସୁଦେବ ବେହେରା ସମସ୍ତଙ୍କୁ ସୁଖିଲା ଖାଦ୍ୟ ପ୍ରଦାନ କରିଥିବାବେଳେ ସରପଂଚ ମାନସ ରାଉତ ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ବିଧାନସଭା ଚାଲୁଥିବାରୁ ବିଧାୟକ ଅରବିନ୍ଦ ମହାପାତ୍ର ଭୁବନେଶ୍ୱର ରେ ଥାଇ ଘରପୋଡ଼ି ଖବର ପାଇ ଦୁଃଖ ପ୍ରକାଶ କରିବା ସହିତ ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି ।

ସେହିପରି ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡ଼ା ପଶ୍ଚିମବଙ୍ଗ ନିର୍ବାଚନ ପଶ୍ଚିମବଙ୍ଗ ନିର୍ବାଚନ ପଶ୍ଚିମବଙ୍ଗ ନିର୍ବାଚନ କାର୍ଯ୍ୟରେ ଥାଇ ଜିଲାପାଳ, ତହସିଲଦାର , ବିଡ଼ିଓ ଆଦି ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ତୁରନ୍ତ ପାଲ, ରେଡ଼କ୍ରସ ପାଣ୍ଠି ସହାୟତା , ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକା ଘର ଯୋଗାଇ ଦେବା ବ୍ୟବସ୍ଥା କରିବା ସହିତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ ।

ସେହିପରି ଶ୍ରୀ ପରିଡ଼ାଙ୍କ ସହଯୋଗରେ ତେଣ୍ଡାକୁଡ଼ା ସରପଂଚ ପ୍ରତି ବିପନ୍ନ ପରିବାରଙ୍କ ମହିଳା ମାନଙ୍କ ପାଇଁ ଶାଢ଼ୀ, ଶାୟା, ବ୍ଲାଉଜ, ପୁରୁଷ ମାନଙ୍କ ପାଇଁ ଲୁଙ୍ଗି ଓ ଗାମୁଛା ଓ ପିଲା ମାନଙ୍କ ପାଇଁ ଡ଼୍ରେସ୍ ବଂଟନ କରିଥିଲେ । ଅଗ୍ନି ବିପନ୍ନ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ବାସ ଗୃହ ଯୋଗାଇ ଦେବାକୁ ସମିତି ସଭ୍ୟ ବାସୁଦେବ ବେହେରା ଗରଦପୁର ବିଡ଼ିଓ ଏବଂ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସେହିପରି ସିଆରସିସି ପହଂଚି ବିପନ୍ନ ପରିବାରର ପିଲାଙ୍କୁ ପାଠ୍ୟ ପୁସ୍ତକ ଆଦି ଯୋଗାଇ ଦେଇଛନ୍ତି ।


ସେହିପରି ଏହି ଦୁଃଖଦ ଖବର ପାଇ ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ଆଜି ସନ୍ଧ୍ୟାରେ ବସନ୍ତପୁର ଗ୍ରାମର ଘରପୋଡ଼ି ବିପନ୍ନ ପରିବାରଙ୍କ ନିକଟରେ ପହଂଚି ବିପନ୍ନ ପରିବାରଙ୍କୁ ଶାନ୍ତ୍ୱନା ଦେବା ସହିତ ସହାୟତା ଯୋଗାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *