ଗ୍ରାମବାସୀ ଘେରାଉ କଲେ ପଂଚାୟତ କାର୍ଯ୍ୟାଳୟ
ଘଟଗାଁ,୨୮/୦୨/୨୦୨୬ (ଓଡ଼ିଶା ସମାଚାର)-ଘଟଗାଁ ବ୍ଲକ ପଇଦା ପାଟଣା ଗ୍ରାମ ପଞ୍ଚାୟତରେ ଏଏନଏମ କେନ୍ଦ୍ର ନିର୍ମାଣ ସ୍ଥାନ ପରିବର୍ତ୍ତନ ନେଇ ତୀବ୍ର ବିବାଦ ଦେଖା ଦେଇଛି । ଗ୍ରାମ ସଭା ଓ ପଲ୍ଲୀ ସଭା ବିନା ଏକ ତରଫା ଭାବେ ସ୍ଥାନ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉ ଥିବାରୁ ସମଗ୍ର ପଞ୍ଚାୟତରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଏଥିପାଇଁ ପଇଦା ପାଟଣା ଗ୍ରାମ ପଞ୍ଚାୟତର, ପଇଦାପାଟଣା, ଖୁଣ୍ଟାପଡା, ହଳଧରପୁର,ଶଗଡିଆ, ଖଳଦୁମା ଆଦି ଗ୍ରାମର ଶତାଧିକ ଲୋକ ଏଭଳି ଏକ ଚାଟିଆ ନୀତି ବିରୁଦ୍ଧରେ ଶୋଭାଯାତ୍ରାରେ ପ୍ଲାକାର୍ଡ ପ୍ରଦର୍ଶନ କରି ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ପଂଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ପୂର୍ବରୁ ସର୍ବ ସମ୍ମତି କ୍ରମେ ନିରୂପିତ ହୋଇଥିବା ସ୍ଥାନକୁ ବାଦ ଦିଆଯାଇ କିଛି ଲୋକଙ୍କ ସ୍ୱାର୍ଥ ପାଇଁ ଏଏନଏମ କେନ୍ଦ୍ରକୁ ଅନ୍ୟ ସ୍ଥାନରେ କରାଇବାକୁ ଚକ୍ରାନ୍ତ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଗତ ସପ୍ତାହରେ ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ସରପଞ୍ଚଙ୍କୁ ଲିଖିତ ଭାବେ ବିରୋଧ ଜଣାଇଥିଲେ।
ଗ୍ରାମବାସୀ ମାନେ ଗଦାଧରପୁର ଆର ଆଇଙ୍କୁ ଡାକି ଦୁଇଟି ସ୍ଥାନ ଦେଖାଇ ଥିଲେ। କିନ୍ତୁ ଆର ଆଇ ଅନ୍ୟ ଏକ ସ୍ଥାନକୁ ଉପଯୁକ୍ତ ଦର୍ଶାଇ ସ୍କେଚ୍ ମ୍ୟାପ୍ ପ୍ରଦାନ କରିଛନ୍ତି। ଏହି ମ୍ୟାପ୍ ଅନୁଯାୟୀ ପଞ୍ଚାୟତର କେବଳ ଗୋଟିଏ ପାର୍ଶ୍ୱ ଅଂଚଳ ପାଇଁ ସୁବିଧା ହୋଇପାରେ କିନ୍ତୁ ଅନ୍ୟ ଅଞ୍ଚଳ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ ବୋଲି ଗ୍ରାମବାସୀ କହିଛନ୍ତି । ଏହାର ପ୍ରତିବାଦରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରି କହିଥିଲେ ଥିଲେ , କିଛି ସରଳ ନିରୀହ ଗ୍ରାମବାସୀଙ୍କୁ ଭୁଲାଇ ଏଏନଏମ କେନ୍ଦ୍ରକୁ ନେଇ ବିବାଦ ସୃଷ୍ଟି କରାଯାଉଛି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୃଷ୍ଟି ହୋଇଥିବା ବିବାଦ ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।
