ଜଗତସିଂହପୁର,୨୭/୦୨/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୪.୦୨.୨୬ ରିଖ ରେ ସ୍ଥାନୀୟ ଏସ ଭି ଏମ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଜିଲ୍ଲାର ସମସ୍ତ ଆଶା କର୍ମୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସଚେତନତା ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଆଶା କର୍ମୀମାନଙ୍କୁ ଅନେକ ଦିଗ୍ଦର୍ଶନ ଦିଆଯାଇଥିଲା।
ବୈଠକରେ ଆଶା କର୍ମୀମାନଙ୍କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଥିଲେ ଯେ, “ଆଶା” କହିଲେ “ଭରସା” କୁ ବୁଝାଏ। ସମାଜରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସବୁବେଳେ ପ୍ରାଥମିକତା ହେବା ଉଚିତ। ଆଶା କର୍ମୀମାନେ ତୃଣମୂଳ ସ୍ତରରୁ ଆସି ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିବା ଉଚିତ। ସେ କହିଥିଲେ ଯେ, ଜିଲ୍ଲାରେ ସଂସ୍ଥାଗତ ବା ପ୍ରତିଷ୍ଠାନିକ ପ୍ରସବର ହାର ବଢ଼ାଇବାକୁ ହେବ। ବର୍ତ୍ତମାନ ଜିଲ୍ଲାରେ ଅଧାରୁ ଅଧିକ ପ୍ରସବ ଘରୋଇ ଡାକ୍ତରଖାନାରେ ହେଉଛି, ଯାହା ଚିନ୍ତାଜନକ। ଯେଉଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଏବଂ ଷ୍ଟାଫ୍ ନର୍ସ ଉପଲବ୍ଧ ଅଛନ୍ତି, ସେଠାକୁ ଗର୍ଭବତୀ ମହିଳାମାନଙ୍କୁ ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ।
ସରକାରୀ ସ୍ୱାସ୍ଥ୍ୟ ସେବାକୁ ଶ୍ରେଷ୍ଠ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସେ ପ୍ରଶ୍ନ କରିଥିଲେ ଯେ, “ସରକାରୀ ଡାକ୍ତରଖାନାରେ ଘରୋଇ ଡାକ୍ତରଖାନା ପରି ଅତ୍ୟାଧୁନିକ ଯନ୍ତ୍ରପାତି ଓ ସୁବିଧା ଥିବା ସତ୍ତ୍ୱେ ଲୋକମାନେ କାହିଁକି ଘରୋଇ ସଂସ୍ଥାକୁ ଯାଉଛନ୍ତି?” ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ।
ଜିଲ୍ଲାରେ ୧୦୦% ଟୀକାକରଣ ସୁନିଶ୍ଚିତ କରିବାକୁ ହେବ। କୌଣସି ଶିଶୁ ଯେପରି ଟୀକାକରଣରୁ ବାଦ୍ ନପଡ଼ନ୍ତି କିମ୍ବା ଅଧାରୁ ଟୀକା ଛାଡ଼ି ନଦିଅନ୍ତି, ସେଥିପ୍ରତି ଆଶା କର୍ମୀମାନେ ସଜାଗ ରହିବା ଦରକାର।
ଜିଲ୍ଲାରେ ANC ପଞ୍ଜିକରଣ ହାର କମ୍ ରହିଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଗର୍ଭବତୀ ମହିଳା ଯେପରି ଜନନୀ ସୁରକ୍ଷା ଯୋଜନାର ସୁବିଧା ପାଇବେ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।
ବିପଦସଙ୍କୁଳ ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (PMSMA) କ୍ଲିନିକକୁ ପଠାଇବା ପାଇଁ ଜିଲ୍ଲାପାଳ କହିଥିଲେ।
ବୈଠକରେ ଆଶା କର୍ମୀମାନଙ୍କୁ ସମ୍ବୋଧିତ କରି ଜିଲ୍ଲାପାଳ ଏକ ଅତ୍ୟନ୍ତ ଭାବପ୍ରବଣ ତଥା ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, “ଜଣେ ବଡ଼ ଭାଇ ଭାବରେ ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ, ଆପଣଙ୍କ ଅଞ୍ଚଳର ଯେକୌଣସି ବିଶେଷ ସମସ୍ୟା ଥିଲେ ତାହା ସିଧାସଳଖ ମୋ ପାଖକୁ ଆଣନ୍ତୁ। ମୁଁ ସେଗୁଡ଼ିକୁ ତୁରନ୍ତ ସମାଧାନ କରିବି।” ଏଥିସହିତ ସେ ଆଶା କର୍ମୀଙ୍କୁ ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିବା ସହ ସରକାରୀ ସ୍ୱାସ୍ଥ୍ୟ ସେବାକୁ ଶ୍ରେଷ୍ଠ କରିବାକୁ ପରାମର୍ଶ ଦେଇଥିଲେ।
ଶେଷରେ, ଜିଲ୍ଲାପାଳ ଲୋକଙ୍କ ମାନସିକତା ଏବଂ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଆଶା ହେଉଛନ୍ତି ଲୋକଙ୍କ ଭରସା; ତେଣୁ ସେମାନେ ଲୋକଙ୍କ ହୃଦୟ ଜିତି ସେମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ ସେବା ପ୍ରତି ଆକୃଷ୍ଟ କରିବା ଦରକାର। ଭଲ କାର୍ଯ୍ୟ କରୁଥିବା ଆଶା କର୍ମୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ସେ ଘୋଷଣା କରିଥିଲେ।
