ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୫/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶାରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୪ଟି ଚାଲୁଥିବା ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏଥିରେ ୨୧ କିଲୋମିଟର ଦୀର୍ଘ କଟକ-କନ୍ଦରପୁର ରାସ୍ତା, ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ଼, ମୋହନା- କୋରାପୁଟ ରାସ୍ତା ସମେତ ସମ୍ବଲପୁର, ବୋରିଗୁମ୍ମା, ଜୟପୁର, ଟିଟିଲାଗଡ଼, ଧର୍ମଗଡ଼, ରାଇରଙ୍ଗପୁର, ଫୁଲବାଣୀ, ନବରଙ୍ଗପୁର ଓ ଝାରସୁଗୁଡ଼ା ବାଇପାସ୍ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହିତ ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ୍ ନଦୀ ଉପରେ ସେତୁ ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ହୋଇଥିଲା ।
ଏଥିରେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନ, ଜଙ୍ଗଲ ଜମି ଅଧିଗ୍ରହଣ ନେଇ ଥିବା ଜଟିଳତା ଦୂରୀକରଣ ଓ ବିଦ୍ୟୁତ, ପାନୀୟଜଳ ଓ ଟେଲିକମ୍ ଆଦି ୟୁଟିଲିଟି ସ୍ଥାନାନ୍ତରଣ ନେଇ ଆଲୋଚନା ହୋଇଥିଲା। ବୈଠକରେ ସମୟସୀମା ମଧ୍ୟରେ ଅପେକ୍ଷିତ କାର୍ଯ୍ୟ ସମ୍ପାଦନ କରି ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳ ଓ ବିଭାଗୀୟ ଅଧୀକାରୀଙ୍କୁ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ,ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
