ଡଃ ରମେଶ ପାଣିଗ୍ରାହୀଙ୍କୁ ପ୍ରଥମ ‘ନବ ଦାସ ସ୍ମାରକୀ ସମ୍ମାନ’

ନବ ଦାସ ଥିଲେ ଜଣେ ଦରଦୀ ରାଜନେତା ଓ ସୁଦକ୍ଷ ମନ୍ତ୍ରୀ
ଭୁବନେଶ୍ୱର, ୨୯/୦୧/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଜନନେତା ନବ କିଶୋର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜଣେ ଟାଣୁଆ ବିଧାୟକ, ଦରଦୀ ରାଜନେତା ତଥା ସୁଦକ୍ଷ ମନ୍ତ୍ରୀ ରୂପେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଦୁଇ ବର୍ଷ ଧରି ମହାମାରୀ କରୋନାର ସଫଳ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ଯେଉଁ ପ୍ରଶଂସା ଅର୍ଜନ କରିଥିଲା, ତାହାର ଶ୍ରେୟ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ଦାସଙ୍କର ହିଁ ଥିଲା ବୋଲି ସେମାନେ କହିଛନ୍ତି ।
ରାଜ୍ୟସ୍ତରୀୟ ନବ ଦାସ ସ୍ମୃତି ପରିଷଦ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ଏହି ସ୍ମୃତି ସମାରୋହରେ ‘ଏମସ୍’ର ପୂର୍ବତନ ନିର୍ଦ୍ଧେଶକ ଡା. ଅଶୋକ କୁମାର ମହାପାତ୍ର ଉଦଘାଟକ, ଅବସରପ୍ରାପ୍ତ ଲେପ୍ଟନାନ୍ଟ ଜେନେରାଲ୍ ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ପ୍ରଫେସର ଡଃ କୈଳାସ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ବର୍ଷକ ପୂର୍ବେ ସ୍ୱର୍ଗତ ନବ ଦାସଙ୍କ ଦୁଃଖଦ ବିୟୋଗ ରାଜ୍ୟ ରାଜନୀତି ବିଶେଷକରି ପଶ୍ଚିମ ଓଡ଼ିଶାର ସାଧାରଣ କ୍ଷେତ୍ରରେ ଏକ ବଡ଼ ଶୂନ୍ୟତା ସୃଷ୍ଟି କରିଛି ବୋଲି ବକ୍ତାମାନେ କହିଥିଲେ ।
ଏହି ଅବସରରେ ଓଡ଼ିଆ ନବନାଟ୍ୟ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ବିଶିଷ୍ଟ ନାଟ୍ୟକାର ଡଃ ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ପ୍ରଥମ ‘ନବ ଦାସ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ବାବଦରେ ତାଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପାୟନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ଉତ୍ସବରେ ବକ୍ତବ୍ୟ ରଖିଥିବା ବେଳେ ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମଧୁମିତା ମହାନ୍ତି ।

Leave a Reply

Your email address will not be published. Required fields are marked *