କଫି କଥା କବିତା ୧୦.୦

   –  କଫି, କଥା ଓ କବିତାର ଦଶମ ସଂସ୍କରଣରେ ଯୁବପିଢ଼ି ଉତ୍ସାହିତ

   –  ଓଡ଼ିଆ ସାହିତ୍ୟ କେବଳ ପଢିବା ପାଇଁ ନୁହେଁ ; ମଞ୍ଚରେ ପରିବେଷଣ ହେଇ ପାଉଛି ଅଧିକ ଆଦୃତି

   –  ଟିକେଟ୍ କାଟି ଓଡ଼ିଆ କବିତା, ଗପ, ଗୀତ ଶୁଣିଲେ ଲୋକେ

   – ପ୍ରଥମ ଥର ମଞ୍ଚରେ କବିତା ଶୁଣାଇବା ପାଇଁ ତରୁଣ ଓଡ଼ିଆ କବିଙ୍କୁ ଦିଆଗଲା ପାରିତୋଷିକ

ଭୁବନେଶ୍ୱର,୨୩/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଳିଙ୍ଗ ଭାଷା ମୁକ୍ତମଞ୍ଚ ଦ୍ଵାରା ଆୟୋଜିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘କଫି, କଥା ଓ କବିତା ୧୦.ଠ’ ଫେବୃଆରୀ ୨୨ ତାରିଖ ରବିବାର ଅପରାହ୍ନରେ ଭୁବନେଶ୍ବରସ୍ଥିତ ଭାରତୀୟ ବିଦ୍ୟାଭବନଠାରେ ଆୟୋଜିତ ହୋଇଯାଇଛି । ପ୍ରଖ୍ୟାତ ଲେଖିକା ତଥା ସିନେମା ନିର୍ଦ୍ଦେଶକ ଶ୍ରୀମତୀ ବିୟତପ୍ରଜ୍ଞା ତ୍ରିପାଠୀ, କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାରପ୍ରାପ୍ତ କବି ତଥା ରେଭେନ୍ସା ବିଶ୍ଵବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର, ଦ୍ବିତୀୟ ଅଯୋଧ୍ୟ। ଭାବେ ସୁଖ୍ୟାତ ନୟାଗଡ଼ ଫତେଗଡସ୍ଥିତ ରାମମନ୍ଦିରର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଏବଂ ସଂସ୍କୃତିପ୍ରାଣ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ବେଣୁଧର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଆ ସାହିତ୍ୟ କେବଳ ପଢିବା ନିମନ୍ତେ ଉଦ୍ଦିଷ୍ଟ ନ ହୋଇ ମଞ୍ଚରେ ପରିବେଷଣ ହୋଇ ଅଧିକ ଆଦୃତି ପାଇ ପାରିଛି ବୋଲି ସଭିଏଁ ମତପୋଷଣ କରିଥିଲେ । ଶତାଧିକ ସାହିତ୍ୟପ୍ରେମୀ ଯୋଗ ଦେଇ ଚାହା ଓ କଫି ସହିତ କବିତା, ଗପ, ଗୀତ ଆଦିକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଏବେକାର ଯୁବପିଢ଼ିଙ୍କୁ ନିଜର ଭାଷା, ସାହିତ୍ୟ ସହ ଅଧିକ ପରିଚିତ କରାଇବ ବୋଲି ଅତିଥିମାନେ ସନ୍ତୋଷବ୍ୟକ୍ତ କରିଥିଲେ  ।

                   ଓଡିଆ କବିତା ଓ ଗପ ଶୁଣିବା ନିମନ୍ତେ ଏତେ ସଂଖ୍ୟକ ଲୋକ ଟିକେଟ୍ କରି ଦର୍ଶକ ଭାବେ ଯୋଗଦେବା ନିଶ୍ଚିତ ଭାବେ ସଭିଙ୍କ ନିମନ୍ତେ ଖୁବ୍ ଉତ୍ସାହପ୍ରଦ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏଥିସହିତ ମଞ୍ଚରେ କବିତା, ଗଳ୍ପ ଓ ଗୀତ ପରିବେଷଣ କରିଥିବା ସାହିତ୍ୟିକ ତଥା ସଙ୍ଗୀତକାରମାନଙ୍କୁ ପାରିତୋଷିକ ମଧ୍ୟ ପ୍ରଦାନ କରାଯାଇଥିଲା । କବିତା ଶୁଣାଇବା ପାଇଁ ପାରିତୋଷିକ ବା ପାଉଣା ଦିଆଯିବାର ଏ ନିଆରା ପରମ୍ପରା ନିଶ୍ଚିତ ଭାବେ ନୂଆପିଢିକୁ ସାହିତ୍ୟ ସାଧନା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ସଭିଏଁ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ ତରୁଣ ପିଢ଼ିର ପ୍ରତିଭାଦୀପ୍ତ କବି ସମର୍ପିତା ପଣ୍ଡା । କାର୍ଯ୍ୟକ୍ରମର ସହପ୍ରାୟୋଜକ ଭାବେ ‘ଓଡିଶା ନ୍ୟୁଜ୍’ ଅଂଶଗ୍ରହଣ କରିଥିଲାବେଳେ ଅନ୍ୟତମ ସହପ୍ରାୟୋଜକ ଭାବେ ‘ବିବି କି ଚାଏ’ କାଫେ ପକ୍ଷରୁ ସଭିଙ୍କୁ ଚାହା ଦିଆଯାଇଥିଲା । କଳିଙ୍ଗ ଭାଷା ମୁକ୍ତମଞ୍ଚ ପରିବାରର ମୁଖ୍ୟ ଶ୍ରୀ ସତ୍ୟ ଶିବ ସୁନ୍ଦର ଦାସ କାର୍ଯ୍ୟକ୍ରମ ଶେଷରେ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କଫି, କଥା ଓ କବିତା କାର୍ଯ୍ୟକ୍ରମର ସଫଳତାର ଧାରା ଏହିପରି ସାହିତ୍ୟପ୍ରେମୀମାନଙ୍କ ଭଲପାଇବା ନିମନ୍ତେ ଆଗକୁ ମଧ୍ୟ ଅବ୍ୟାହତ ରହିବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଦସ୍ୟ ଯୁବ କବି ଶ୍ରୀସିକ୍ତା ଶୁଭଦର୍ଶିନୀ, ଜ୍ୟୋତି ରଞ୍ଜନ ବାରିକ, ଅଂଶୁମାନ ସାହୁ, ବିଶ୍ଵକସେନ୍ ଦାଶ, ରୁପେଶ ସାହୁ, ସୁମିତ୍ ପଣ୍ଡା, ସୁବ୍ରତ ସେନାପତି, ତୃପ୍ତି ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *