ପୂର୍ବତନ ଓ ବର୍ତ୍ତମାନ ବିଧାୟକଙ୍କ ତୁ ତୁ ମେଁ ମେଁ
କଟକ ସଦର,୨୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ମଧୁପାଟଣା ଥାନା ନୁଆପଡା ପ୍ରେସ୍ କଲୋନୀରେ ଘଟିଥିବା ରିଙ୍କୁ ହତ୍ୟାକାଣ୍ଡ ପରେ କଟକ ସଦର ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇଛି। ଦୁଇ ପ୍ରମୁଖ ଦଳ ବିଜେଡ଼ି ବିଜେପି ପରସ୍ପରକୁ ଦୋଷ ଠେଲିଵାରେ ଲାଗିପଡିଛନ୍ତି। ଯାହା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରୋଚକ ମୋଡରେ ପହଞ୍ଚିଛି। ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ର ପୂର୍ବତନ ବିଜେଡି ବିଧାୟକ ଚନ୍ଦ୍ର ସାରଥି ବେହେରା ଅଭିଯୋଗ କରିଛନ୍ତି ଯେ ସଦରରେ ଅପରାଧୀ ମାନେ ଏବେ ଭୟ ମୁକ୍ତ। ତାଙ୍କୁ ରାଜନୈତିକ ସଂରକ୍ଷଣ ମିଳୁଛି।

ରାଜନୈତିକ ଚାପରେ ପୋଲିସ ଚୁପ୍ ରହିବାକୁ ବାଧ୍ୟ ହେଉଛି। ଯାହାଫଳରେ ଅପରାଧ ବଢ଼ିବାରେ ଲାଗିଛି।ଏହାର ଜବାବରେ ବର୍ତ୍ତମାନର ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି ଯେ ପୋଲିସ ଓ ପ୍ରଶାସନକୁ ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ରିଙ୍କୁ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ପୋଲିସ ଯଥାଶୀଘ୍ର ଗିରଫ କରିବାରେ ସଫଳ ହୋଇଛି। ତେବେ ଗୁଳିକାଣ୍ଡରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହୁକୁ ଓରଫ ଉତ୍କଳ କେଶରୀ ପଶାୟତର ଦୁଇଟି ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଫଟୋରେ ହୁକୁ ବିଧାୟକ ପ୍ରକାଶ ଙ୍କ ସହିତ ଥିବା ବେଳେ ଅନ୍ୟ ଏକ ଫଟୋରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ଙ୍କ ସହିତ ହୁକୁ ଥିବା ଦେଖାଯାଉଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡକୁ କୌଣସି ରାଜନୀତିକରଣ ନକରି ଆଗାମୀ ଦିନରେ କଟକ ସଦର କୁ ଅପରାଧ ଓ ଭୟ ମୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।
