ଜିଲାରେ ୧୦୭ଟି ପରୀକ୍ଷା କେନ୍ଦ୍ର ଓ ୯ଟି ପ୍ରଶ୍ନପତ୍ର ହବ୍
ସି.ସି.ଟିଭି ସର୍ଭେଲାନ୍ସରେ ସମସ୍ତ ପରୀକ୍ଷା କେନ୍ଦ୍ର
କେନ୍ଦ୍ରାପଡ଼ା,୧୭/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରେ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରୀକ୍ଷା ୧୯ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚମାସ ୨ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଜିଲାରେ ୧୦୭ ଟି ପରୀକ୍ଷା କେନ୍ଦ୍ରରେ ୧୯ ହଜାର ୮୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମାଟ୍ରିକ ପରୀକ୍ଷାର ରେଗୁଲାର ଓ ଏକ୍ସ ରେଗୁଲାର ସମେତ ମଧ୍ୟମା ପରୀକ୍ଷା ନିମନ୍ତେ ୧୦୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ରାଜ୍ୟ ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ୨ଟି ନୂତନ ପରୀକ୍ଷା କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୧୯ହଜାର ୨୮୮ ଜଣ ରେଗୁଲାର ଏବଂ ୫୦ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଥିବାବେଳେ ୨୩୧ ଜଣ ମଧ୍ୟମା ଏବଂ ୨୯୪ଜଣ ରାଜ୍ୟ ଓପନ ସ୍କୁଲର ଛାତ୍ରଛାତ୍ରୀ ଅଛନ୍ତି । ଏହିପରି ସର୍ବମୋଟ ୧୯ହଜାର ୮୧୬ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଦେବେ ।
୧୦୭ ଟି ପରୀକ୍ଷା କେନ୍ଦ୍ର ନିମନ୍ତେ ୧୦୭ ଜଣ ଶିକ୍ଷା ନିରୀକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ୧୦୭ ଜଣ ରିଲିଭର ଓ ୨୫୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ୧୦୭ ଟି କେନ୍ଦ୍ର ନିମନ୍ତେ ୧୦୭ ଜଣ ସୁପରିନଟେଣ୍ଡେଣ୍ଟ ଓ ୧୦୭ ଜଣ ଡେପୁଟୀ ସୁପରିନଟେଣ୍ଡଣ୍ଟଙ୍କୁ ମଧ୍ୟ ୧୦୭ଟି ପରୀକ୍ଷା କେନ୍ଦ୍ର ନିମନ୍ତେ ନିଯୁକ୍ତି ଦିଆଯାଇଛି । କପି ରୋକିବା ନିମନ୍ତେ ୫ଟି ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି । କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ୱାର୍ଡ ଜିଲାକୁ ଆସିବାର ବ୍ୟବସ୍ଥା ଥିବା ବେଳେ । ଏଥି ସହିତ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଜିଲାର ପ୍ରତ୍ୟେକ ବ୍ଲକ ଓ ପୌରାଂଚଳ ନିମନ୍ତେ ପର୍ଯ୍ୟବେକ୍ଷକ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡ ନିଯୁକ୍ତି କରାଯିବା, ଜିଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ସ୍କ୍ୱାର୍ଡ ନିଯୁକ୍ତି ଓ ଏକଜିକୁ୍ୟଟିଭ ମ୍ୟାଜିଷ୍ଟେଟଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି । ଜିଲାର ୯ଟି ବ୍ଲକ ଓ ୨ଟି ପୌରାଂଚଳରେ ଥିବା ୯ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପ୍ୟାକେଟ ଗୁଡିକ ରଖାଯିବ ।
ସେହି ନୋଡାଲ ସେଣ୍ଟର ଗୁଡିକ ହେଉଛି ଜିଲାର କେନ୍ଦ୍ରାପଡା ସରକାରୀ ହାଇସ୍କୁଲରେ ୧୧ଟି ପରୀକ୍ଷା କେନ୍ଦ୍ର ପାଇଁ ୨୦୫୦ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ରଖାଯାଇଥିବା ବେଳେ ବାଲିଆ ସରକାରୀ ହାଇସ୍କୁଲରେ ୧୧ଟି ପରୀକ୍ଷା କେନ୍ଦ୍ରର ୨୧୨୬ଜଣ ପରୀକ୍ଷାର୍ଥୀଙ୍କ ପାଇଁ, ଗରଦପୁର ବ୍ଲକର ପାଟକୁରା ହାଇସ୍କୁଲରେ ୧୧ଟି ପରୀକ୍ଷା କେନ୍ଦ୍ରର ୧୯୭୬ଜଣ ପରୀକ୍ଷାର୍ଥୀଙ୍କ ପାଇଁ, ମାର୍ଶାଘାଇ ବ୍ଲକର ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୧ଟି ପରୀକ୍ଷା କେନ୍ଦ୍ରର ୧୭୬୮ ପରୀକ୍ଷାର୍ଥୀଙ୍କ ପାଇଁ, ମହାକାଳପଡା ବ୍ଲକର କେଆରବାଙ୍କ ପଂଚାୟତ ହାଇସ୍କୁଲରେ ୧୦ଟି ପରୀକ୍ଷା କେନ୍ଦ୍ରରେ ୨୧୬୧ଜଣ ପରୀକ୍ଷାର୍ଥୀଙ୍କ ପାଇଁ, ରାଜନଗର ବ୍ଲକର ରାଜନଗର ହାଇସ୍କୁଲରେ ୧୪ଟି ପରୀକ୍ଷା କେନ୍ଦ୍ରର ୩୦୦୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ, ଆଳି ବ୍ଲକର ଆଳି ହାଇସ୍କୁଲରେ ୧୩ଟି ପରୀକ୍ଷା କେନ୍ଦ୍ରରେ ୧୯୨୨ଜଣ ପରୀକ୍ଷାର୍ଥୀଙ୍କ ପାଇଁ, ରାଜକନିକା ବ୍ଲକର ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୯୯୫ପରୀକ୍ଷାର୍ଥୀଙ୍କ ପାଇଁ ଓ ପଟ୍ଟାମୁଣ୍ଡାଇ ବ୍ଲକର କଷଣଅଣ୍ଟା ପଂଚାୟତ ହାଇସ୍କୁଲରେ ୧୪ଟି ପରୀକ୍ଷା କେନ୍ଦ୍ରର ୨୮୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ଗୁଡିକୁ ମହଜୁଦ ରଖାଯାଇଛି ।
ପ୍ରତ୍ୟେକ ନୋଡାଲ ସେଣ୍ଟରରେ ଜଣେ ଭାରପ୍ରାପ୍ତ ଅଧିକାରୀ ଓ ଜଣେ ଉପ- ଭାରପ୍ରାପ୍ତ ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯାଇଛି । ଏହି ୯ଟି ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଶ୍ନପତ୍ର ପହଂଚାଇବା ପାଇଁ ୪୦ଜଣ ଶିକ୍ଷକଙ୍କୁ ଡେସପାଚ୍ ଟିମ ରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ୯ଟି ପ୍ରଶ୍ନପତ୍ର ହବ୍ ବା ନୋଡାଲ ସେଣ୍ଟରକୁ ୨୪ଘଣ୍ଟିଆ ପୋଲିସ ସୁରକ୍ଷା ବଳୟରେ ରଖାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନକୁ ନିଷିଦ୍ଧ କରାଯିବା ସହିତ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ନଜରରେ ରଖାଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରତି କେନ୍ଦ୍ରରେ ପୋଲିସ ବଳ ମୁତୟନ ବ୍ୟବସ୍ଥା କରାଯାଇଛି ।
