ପୁରୁଷ ବନ୍ଧୁଙ୍କୁ ବିବାହ କଲେ କିନ୍ନର
ଭୁବନେଶ୍ୱର,୧୪/୦୨/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟରେ ଶହ ଶହ କିନ୍ନର ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ସଂଘର୍ଷ କରୁଥିବା ବେଳେ ସାଧାରଣ ଜନତା ଅନେକ ସମୟରେ ସେମାନଙ୍କୁ ଟାହିଟାପରା କରିଥାନ୍ତି । ମାତ୍ର ଏସବୁକୁ ଦୃଷ୍ଟି ନଦେଇ କିନ୍ନରମାନେ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ପୁରୁଷ ଓ ନାରୀଙ୍କ ସହ ସମକକ୍ଷ ହେବା ପାଇଁ ଏବେବି ସଂଘର୍ଷରତ । ପୁରୁଷ ଓ ନାରୀଙ୍କ ଠାରୁ କିନ୍ନରମାନେ କୌଣସି ଗୁଣରେ କମ୍ ନୁହଁନ୍ତି । ସେମାନେ ମଧ୍ୟ ସାଧାରଣ ଲୋକଙ୍କ ଭଳି ବିବାହ ବନ୍ଧନରେ ଆବଦ୍ଧ ହୋଇ ଘରସଂସାର କରିବାକୁ ଅନ୍ଟା ଭିଡ଼ିଲେଣି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କିନ୍ନର ପ୍ରିୟଙ୍କା ଦୋରା । ପି୍ରୟଙ୍କା ନିଜର ପୁରୁଷ ବନ୍ଧୁ ରବି ଡାକୁଆଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରିୟଙ୍କାଙ୍କ ଘର ଗଞ୍ଜାମ ଜିଲାର ଦିଗପହଣ୍ଡି ହୋଇଥିଲା ବରିଙ୍କ ଘର ଗଞ୍ଜାମ ଜିଲା ପୋଲସରା । ଉଭୟେ ୪ ବର୍ଷ ଧରି ଉଭୟଙ୍କୁ ଭଲପାଇ ବସିଥିଲେ । ଏହି ଭଲ ପାଇବା ଶେଷରେ ବିବାହରେ ପରିଣତ ହୋଇଥିଲା ।
ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଟି.ଜି. ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ନେତୃତ୍ୱରେ ଶୁକ୍ରବାର ନୟାପଲ୍ଲୀ ଆଇଆରସି ଭିଲେଜସ୍ଥିତ କିନ୍ନରମାନଙ୍କ ବୋହୁଚୋରାମାତା ମନ୍ଦିରରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ସାଧାରଣ ଲୋକଙ୍କ ଭଳି ରବି ବରଯାତ୍ରୀଙ୍କ ସହ ବରବେଶରେ ଆସି ମନ୍ଦିର ନିକଟରେ ପହଂଚିଥିଲେ । ପୂର୍ବରୁ ପ୍ରିୟଙ୍କା ବୋହୁ ବେଶରେ ସାଜସଜ୍ଜା ହୋଇ ବରକୁ ଅପେକ୍ଷା କରିଥିଲେ । ବର ପହଂଚିବା ପରେ ବୋହୁଚୋରାମାତାଙ୍କୁ ସାକ୍ଷୀ ରଖି ଉଭୟଙ୍କ ହସ୍ତଗଣ୍ଠି ପଡ଼ିଥିଲା । ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଉଭୟ ସାତଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥିଲେ । ବିବାହ ସମ୍ପନ୍ନ ପରେ ୩୦୦ ଲୋକଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା କରାଯାଇଥିଲା । ଏହି ବିବାହ କାର୍ଯ୍ୟରେ ବହୁ ସମାଜସେବୀ, ରାଜନେତା ଓ ଆଇନଜୀବୀ ଉପସ୍ଥିତ ରହି ବରକନ୍ୟାଙ୍କୁ ଆର୍ଶୀବାଦ କରିଥିଲେ । ଟ୍ରଷ୍ଟର ସମସ୍ତ ସଦସ୍ୟ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ । ଯଦି କୌଣସି କିନ୍ନର ବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି, ତେବେ ବୋହୁଚୋରାମାତା ମନ୍ଦିରରେ ବିନା ମୂଲ୍ୟରେ ବିବାହ କରିପାରିବେ ବୋଲି ଟ୍ରଷ୍ଟର ସଭାପତି ମେନକା ପରିଡ଼ା ଜଣାଇଛନ୍ତି ।
