ମେଟ୍ରିକ ପରୀକ୍ଷା : ୨୦୨୬ ପାଇଁ ପ୍ରସ୍ତୁତି ବୈଠକ

ଭାଗନେଲେ ପରୀକ୍ଷାକେନ୍ଦ୍ର ପରିଚାଳକ, ପର୍ଯ୍ୟବ୍ୟକ୍ଷକ ଓ ପ୍ରଶ୍ନପତ୍ର ପ୍ରେରଣ ସଦସ୍ୟ

ଯାଜପୁର,୧୩/୦୨/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ଆନୁକୂଲ୍ୟରେ  ମେଟ୍ରିକ ପରୀକ୍ଷା:୨୦୨୬ ପାଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୫୧ ଟି ପରୀକ୍ଷା କେନ୍ଦ୍ରର କେନ୍ଦ୍ର ପରିଚାଳକ,ପର୍ଯ୍ୟବ୍ୟକ୍ଷକ,ପ୍ରଶ୍ନପତ୍ର ପ୍ରେରଣ ସଦସ୍ୟ ଓ ୧୦ ଟି ନୋଡାଲ ସେଣ୍ଟରର ମୁଖ୍ୟମାନେ  ଅଂଶଗ୍ରହଣ କରିଥିଲେ ।

ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ଏସ ଓ ଏସ ସି (୧ମ ) ପରୀକ୍ଷା ଆସନ୍ତା ଫେବୃଆରୀ ୧୯ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।  ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ଉପସ୍ଥିତ ରହି ଜିଲ୍ଲାରେ  ମେଟ୍ରିକ ପରୀକ୍ଷା କିପରି ସ୍ୱଚ୍ଛ ଓ ଶୃଙ୍ଖଳାର ସହ ସମ୍ପାଦିତ ହେବ  ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । କୌଣସି ପ୍ରକାର ବିଶୃଙ୍ଖଳା ଦେଖାଗଲେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଆଲୋକ କୁମାର ବନ୍ଧ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, କଟକଙ୍କ ଦ୍ଵାରା ପ୍ରଦତ୍ତ ନିୟମାବଳୀ ଉପରେ ସମ୍ପୂର୍ଣ ଆଲୋଚନା କରିବା ସହ ପରୀକ୍ଷା ପରିଚାଳନା କରିବାରେ ସମ୍ପୃକ୍ତ ଥିବା କର୍ମଚାରମାନେ ସେମାନଙ୍କ ଦାୟିତ୍ବକୁ ସଠିକ ଢଙ୍ଗରେ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି  ପରୀକ୍ଷା ସମ୍ବନ୍ଧୀୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଜିଲ୍ଲାରେ ହୋଇଥିବା ନୋଡାଲ ସେଣ୍ଟର,ପରୀକ୍ଷା କେନ୍ଦ୍ର, ସ୍କ୍ୱାଡ଼ ସଦସ୍ୟ ଗଠନ  ତଥା ପରୀକ୍ଷା ସୁପରିଚାଳନା ବିଷୟରେ ଆଲୋକପାତ କରିଥିଲେ ଏବଂ ପରୀକ୍ଷାର ସମୟ ନିର୍ଘଣ୍ଟ ସହ ପରୀକ୍ଷା କେନ୍ଦ୍ରରେ କିପରି ସୁଚାରୁ ରୂପେ ପରୀକ୍ଷା ହେବ ମତପୋଷଣ କରିଥିଲେ । ପରୀକ୍ଷାର୍ଥୀ ମାନେ ଭୟଶୂନ୍ୟ ହୋଇ କିପରି ପରୀକ୍ଷା ଦେବେ ସେଥିପ୍ରତି ପରୀକ୍ଷା କେନ୍ଦ୍ର ପରିଚାଳକମାନେ ସଚେତନ ରହିବେ । ଜିଲ୍ଲା ପ୍ରଶାସନର ସହଯୋଗର ଯାଜପୁର ଜିଲାରେ ଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା ହେବ ବୋଲି ଆଶାବ୍ୟକ୍ତ କରାଗଲା ।

Leave a Reply

Your email address will not be published. Required fields are marked *