ଭୁବନ,୧୨/୦୨/୨୦୨୬ (ଓଡ଼ିଶା ସମାଚାର)-କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ବ୍ଲକ ନିଳକଣ୍ଠପୁର ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବିଜେଡି ସମର୍ଥିତ ଦୁଇ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ ବିଜେପି ଦଳରେ ମିଶିଥିଲେ ।
କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ଜିଲ୍ଲା ବିଜେପି ସଭାପତି ରାହାସ ବିହାରୀ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଜିଲ୍ଲା ପ୍ରଭାରୀ ସ୍ମୃତି ପଟ୍ଟନାୟକ, ଢେଙ୍କାନାଳ ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ଜିଲ୍ଲା ସାଧାରଣ ସଂପାଦକ ମାତୃପ୍ରସାଦ ନନ୍ଦ, ଜିଲ୍ଲା
ଉପସଭାପତି ସଞ୍ଜୟ ଦାସ ,ଜିଲ୍ଲା ପରିଷଦ ସଭ୍ୟା ଶିଲାରାଣୀ ସାହୁ,ପୂର୍ବତନ ନଗରମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଭୁବନ ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ଅନ୍ତର୍ଗତ ବାରୁଆଁ ( ବି) ସରପଞ୍ଚ ବୀଣାପାଣି ସାହୁ, ଓଡ଼ିଶ ସରପଞ୍ଚ ମୋହନ ମହାନ୍ତ,ଗଡନୃସିଂହ ପ୍ରସାଦ ସମିତି ସଭ୍ୟା ଯଶୋଦା ନାୟକ ଙ୍କ ସମେତ ବାଲିବୋ ର ପୂର୍ବତନ ସରପଂଚ ସନ୍ତୋଷ ଖୁଣ୍ଟିଆ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ବେହେରା,ଭୁବନ ଓକିଲ ସଂଘ ର ପୂର୍ବତନ ସଭାପତି ଆଇନଜୀବୀ ଶ୍ରୀକାନ୍ତ ସାହୁ, ଯୁବ ନେତା ଟିଟୁ ଦାସ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର କିଛି ଯୋଗାଡିଆ କର୍ମୀ ଆନୁଷ୍ଠାନିକ ଭାବେ ବିଜେପି ରେ ସାମିଲ ହୋଇଥିଲେ ।
ଜିରାଳ ଜୋନ ସଭାପତି ଅଭୟ ନାୟକ, ବାରୁଆଁ ଜୋନ ସଭାପତି ବୀରେନ୍ଦ୍ର ପ୍ରତାପ ଜେନା, ମହୁଲପାଳ ସଭାପତି ଅଶୋକ ଦତ୍ତ, ଭୁବନ ଏନ ଏ ସି ମଣ୍ଡଳ ସଭାପତି ଅଜିତ ବିହାରୀ ମିଶ୍ରଣ ପର୍ବ ର ଦାୟିତ୍ଵ ନେଇଥିଲେ । ଶେଷରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସଂଯୋଜକ ଜଗବନ୍ଧୁ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ବିଜେଡି ର ବନ୍ଧୁ ମିଳନ ଓ ବିଜେପି ର ମିଶ୍ରଣ ପର୍ବ କେବଳ ପଞ୍ଚାୟତ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ତେବେ ଏହି ମିଶ୍ରଣ ପର୍ବ ବିଜେଡି ଦଳରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଗତ ୪ ତାରିଖ ବୁଧବାର ଦିନ ୨ ନମ୍ବର ଜୋନ କୁନିନ୍ଦା ପଞ୍ଚାୟତର ବଡବନ୍ଧ ଠାରେ ବିଜେଡି ଦଳର ବନ୍ଧୁ ମିଳନ ଆଳରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ବିଜେଡି କୁ ଚକମା ଦେଖାଇବା ଉଦ୍ଦେଶ୍ୟରେ ବିଜେପି ଅତର୍କିତ ଭାବେ ମିଶ୍ରଣ ପର୍ବ ଆୟୋଜନ କରିଥିଲା ।
