କେନ୍ଦ୍ରାପଡ଼ା,୧୧/୦୨/୨୦୨୬ (ଓଡ଼ିଶା ସମାଚାର)-ଜିଲାସ୍ତରୀୟ ସୁରକ୍ଷିତ ଇଂଟରନେଟ୍ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରକାରୀ ପଲିଟେକନିକ୍ କଲେଜ, କେନ୍ଦ୍ରାପଡ଼ାଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ଜିଲାପାଳ ରଘୁରାମ ଆର. ଆୟର ସାଇବର ସୁରକ୍ଷା ଏବଂ ଇଂଟରନେଟ୍ ବ୍ୟବହାରର ସର୍ବୋତମ ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦେଇ, ନିଜ ଅନୁଭବ ଆଧାରରେ ମୂଲ୍ୟବାନ ମତାମତ ରଖିଥିଲେ । ସାଇବର ଠକାମୀର ଶିକାର ହେଲେ ଜଣେ ବ୍ୟକ୍ତି ଯଦି ୩୦ ମିନିଟ ସମୟ(ଗୋଲଡ଼େନ୍ ଆୱାର) ମଧ୍ୟରେ ସାଇବର ଥାନାରେ ଠକାମୀର ଅଭିଯୋଗ ଦାଖଲ କରେ, ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସକୁ ସହଜସାଧ୍ୟ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଜିଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଇଂଟରନେଟ୍ ର ସୁରକ୍ଷିତ ବ୍ୟବହାର ଉପରେ ଏକ ବିସ୍ତୃତ ପ୍ରସ୍ତୁତିକରଣ ଦେଇଥିଲେ । ସେଥିରେ ଏଆଇ ସମ୍ବନ୍ଧିତ ସାଇବର ଆପଦ, ଏଆଇର ଦାୟିତ୍ୱଶୀଳ ବ୍ୟବହାର, ସାଇବର ହାଇଜିନ୍ ପ୍ରଥା ଏବଂ ସାଇବର ଅପରାଧ ରିପୋର୍ଟ କରିବା ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା । ଏହା ପରେ ସାଇବର ଆପଦ ଓ କୃତିମ ବୁଦ୍ଧିମତା ସମ୍ବନ୍ଧରେ ଏକ ଇଂଟରଆକ୍ଟିଭ୍ କ୍ୱିଜ୍ ଆୟୋଜିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଜିଲାପାଳ ପୁରସ୍କୃତ କରିଥିଲେ । ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଫେବ୍ରୁୟାରୀ ମାସ ଦ୍ୱିତୀୟ ମଙ୍ଗଳବାରରେ ସୁରକ୍ଷିତ ଇଂଟରନେଟ୍ ଦିବସ ପାଳନ କରାଯାଇଥାଏ ।
ସାଇବର ଠକାମୀର ଶିକାର ହେଲେ ୧୯୩୦ ନମ୍ବରକୁ ଫୋନ କରି ସାଇବର ପୋଲିସ ସହାୟତା ନେବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡେରାବିଶ ତହସିଲଦାର ସରୋଜ କାନ୍ତ ନାୟକ, ଡେରାବିଶ ବିଡିଓ ନମିତା ବାରିକ, ସହକାରୀ ଜିଲା ନିୟୋଜନ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ଡେରାବିଶ ପୋଲିସ ଏସ.ଆଇ, ସରକାରୀ ପଲିଟେକନିକ୍ ର ଅଧ୍ୟକ୍ଷ ଓ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୨ଶହ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ସରକାରୀ ପଲିଟେକନିକ୍ ର ଅଧ୍ୟକ୍ଷ ବିଭୂତିଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
