ଭୁବନେଶ୍ୱର,୧୦/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଲର କିଂ ସଂଗଠନ, ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ (SSEPD)ର ସହଯୋଗରେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା, ସୃଜନଶୀଳତା ଓ ଅଦମ୍ୟ ମାନବୀୟ ଆତ୍ମାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ କଳା ଓ ସଙ୍ଗୀତ ମହୋତ୍ସବ ସଫଳତାର ସହିତ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଟି ଫେବୃଆରୀ ୧୦ ତାରିଖ ସକାଳ ୧୦ ଟାରୁ ଭୁବନେଶ୍ବର ସ୍ଥିତ ସୂଚନା ଭବନ ଠାରେ ଅୟୋଜିତ ହୋଇଥିଲା।
ଏହା କେବଳ କଳା ଓ ସଙ୍ଗୀତର ପ୍ରଦର୍ଶନ ନୁହେଁ, ବରଂ ସୀମାବଦ୍ଧତା ପରେ ଥିବା ସାମର୍ଥ୍ୟର ଏକ ପ୍ରତୀକ ଥିଲା। ଓଡିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ଦୃଷ୍ଟିରେ ରଖି, ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶାଶ୍ୱତ କଳା ଐତିହ୍ୟ, ଓଡିଶୀ ନୃତ୍ୟ, ମନ୍ଦିର ଶିଳ୍ପକଳା, ପଟ୍ଟଚିତ୍ର ଓ ହୃଦୟସ୍ପର୍ଶୀ ସଙ୍ଗୀତ—ର ସୁନ୍ଦର ପ୍ରତିବିମ୍ବ ଦେଖିବାକୁ ମିଳିଲା। ଏଥିରେ ପ୍ରାୟ ୧୦ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ କଳା ପ୍ରଦର୍ଶନ କରିଥିବା ବେଳେ ୨ଟି ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ବିଜୟ ଲାଭ କରି ପୂର୍ବରୁ ନିର୍ଦ୍ଧାରିତ ପୁରସ୍କାର ମାନ ଗ୍ରହଣ କରିଥିଲେ ଓ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା।
ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ତଥା ଶ୍ରୀ ବାବୁ ସିଂହ, ମାନ୍ୟବର ବିଧାୟକ, ଶୁଭେଚ୍ଛା ଜଣାଇବା ସହ ସହଯୋଗର ହାତ ବଢାଇଥିଲେ। ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ପ୍ରଖ୍ୟାତ ସମାଜସେବୀ, ଶ୍ରୀ ଭାସ୍କର ରାଇତୋ, ଅତିରିକ୍ତ ସଚିବ, SSEPD ବିଭାଗ, ଓଡିଶା ସରକାର ଓ ଶ୍ରୀ ମନୋଜ କୁମାର ସ୍ୱାଇଁ, ଅତିରିକ୍ତ ସଚିବ, ଭୁବନେଶ୍ୱର ବିକାଶ ପ୍ରାଧିକରଣ (BDA) ଙ୍କର ଉପସ୍ଥିତି ଏହାକୁ ଗରିମାମୟ କରିଥିଲା ତଥା ଦିବ୍ୟାଙ୍ଗ କଳାକାର ଓ ପ୍ରତିଯୋଗୀ ମାନଙ୍କ ପ୍ରତି ସମର୍ଥନ ଓ ଉତ୍ସାହର ଦୃଢ଼ ସନ୍ଦେଶ ପ୍ରଦାନ କରିଥିଲା।
ଏହା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ରଙ୍ଗ, ତାଳ ଓ ସୁର ମାଧ୍ୟମରେ ନିଜର ଅନ୍ତର୍ଜଗତକୁ ପ୍ରକାଶ କରିବାର ଏକ ଅର୍ଥପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା। ପ୍ରତିଯୋଗୀ ମାନେ ଦୃଢ଼ ଭାବରେ ଏହି ସନ୍ଦେଶ ଦେଇଥିଲେ ଯେ ଦିବ୍ୟାଙ୍ଗତା କୌଣସି ସୀମାବଦ୍ଧତା ନୁହେଁ, ବରଂ ଜୀବନକୁ ଅନୁଭବ କରିବା ଓ ପ୍ରକାଶ କରିବାର ଏକ ଅନନ୍ୟ ଉପାୟ।
କଲର କିଂ ସଂଗଠନ ଓଡିଶା ସରକାର ଓ SSEPD ବିଭାଗଙ୍କୁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସମାବେଶ, ସଶକ୍ତିକରଣ ଓ ମର୍ଯ୍ୟାଦା ପ୍ରତି ତାଙ୍କର ଅବିରତ ସମର୍ଥନ ଓ ପ୍ରତିବଦ୍ଧତା ପାଇଁ ହୃଦୟପୂର୍ଣ୍ଣ କୃତଜ୍ଞତା ଜଣାଇଛି। ଏପରି ପଦକ୍ଷେପଗୁଡ଼ିକ ଆତ୍ମବିଶ୍ୱାସ ଗଢ଼ିବା, ସୁଯୋଗ ସୃଷ୍ଟି କରିବା ଓ ଓଡିଶାର କରୁଣାମୟ ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ।
ସଂଗଠନଟି ସମସ୍ତ ଅଂଶଗ୍ରହଣକାରୀ କଳାକାର, ସଙ୍ଗୀତଜ୍ଞ, ସ୍ୱେଚ୍ଛାସେବକ, ସହଯୋଗୀ ଓ ଦର୍ଶକବୃନ୍ଦଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି, ଯାହାଙ୍କ ସହଯୋଗରେ ଏହା ଏକ ଅର୍ଥପୂର୍ଣ୍ଣ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ରୂପେ ସଫଳ ହୋଇପାରିଛି।
