କଟକ ସଦର,୦୬/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ଆଳୁ ମିଶନ/ଉଦ୍ୟାନ କୃଷି ବିଭାଗ ପକ୍ଷରୁ କଟକ ସଦର ଅନ୍ତର୍ଗତ କିଶନନଗର ବିଶ୍ବାଳପଡା ଠାରେ ଗଢ଼ିଉଠିଥିବା ଏକମାତ୍ର ମଣ୍ଟେସୋରୀ ଆଗ୍ରୋଟେକ ଶୀତଳଭଣ୍ଡାର କୁ ୠଣ ଖିଲାପି ଆଳରେ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଲାମି ପାଇଁ ବାରମ୍ବାର ନୋଟିସ ଜାରି କରାଯାଉଛି। ହେଲେ ୠଣ କରିଥିବା ପରିଚାଳନା ନିର୍ଦ୍ଦେଶକ ଯୁବ ଶିଳ୍ପଦ୍ୟୋଗୀ ଇଂ ମାନସ କୁମାର ଲେଙ୍କା ଙ୍କର ଇତିମଧ୍ୟରେ ଅକାଳ ମୃତ୍ୟୁ ଘଟିଛି। ଯାହାକୁ ନେଇ ପରିବାର ଲୋକେ ଭାରସାମ୍ୟ ହରାଇ ବସିଛନ୍ତି।
ଏଭଳି ସମୟରେ ବ୍ୟାଙ୍କ କର୍ତୃପକ୍ଷ ଙ୍କର ନିଲାମ ଜୁଲୁମ୍ ବେଢ଼ି ଉପରେ କୋରଡ଼ା ସଦୃଶ ହୋଇଛି। ସେଥିରେ ବ୍ୟାଙ୍କର ନିଲାମ ପରେ ଏଠାରେ ଆଉ ଶୀତଳଭଣ୍ଡାର ହେବ ବୋଲି ଆଶା ମଉଳି ଯିବାକୁ ବସିଛି। ଏଥିପାଇଁ ଅଞ୍ଚଳର ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡ଼ିଛି। ଏସବୁ ଵିଚାର କରି ଚାଷୀମାନଙ୍କ ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଘର ଦୁଆର ମୁହଁରେ ଥିବା ଶୀତଳଭଣ୍ଡାର ନିଲାମର ପୁନର୍ଵିଚାର କରିବାକୁ ବିଧାୟକ ଇଂ ସେଠୀ ବ୍ୟାଙ୍କ ଉଚ୍ଚ କର୍ତୃପକ୍ଷଙ୍କୁ ଚିଠି ଲେଖିଥିବା ଜଣାପଡିଛି। ସେହିପରି ସ୍ୱାମୀଙ୍କ ର ଅକାଳ ମୃତ୍ୟୁ ପରେ ବୟସ୍କ ଶାଶୁ ଶଶୁର ମାନସିକ ଭାରସାମ୍ୟ ହରାଇ ବସିଥିବା ରୁ ଏତିକି ବେଳେ ବ୍ୟାଙ୍କର ଜୁଲୁମ ବନ୍ଦ ପାଇଁ ସ୍ତ୍ରୀ ପ୍ରତିଚି ପ୍ରଧାନ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି। ଏପରିକି କେନ୍ଦ୍ର ଅର୍ଥ ମନ୍ତ୍ରୀ ଙ୍କୁ ମଧ୍ୟ ପତ୍ର ଦ୍ୱାରା ଅବଗତ କରାଇଛନ୍ତି।
