୨୦୨୩ -୨୪ ରବିଋତୁ ନିମନ୍ତେ ଜିଲ୍ଲା କୃଷି କାର୍ୟ୍ୟ ନିର୍ଦ୍ଧାରଣ କମିଟି ବୈଠକ

ଜଗତସିଂହପୁର, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ର ସଦ୍ଭାବନା ସଭାଗୃହରେ ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ ରବି ଋତୁ ୨୦୨୩- ୨୪ ନିମନ୍ତେ ଜିଲ୍ଲା କୃଷି କାର୍ୟ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱରି ଜଗତସିଂହପୁର ଜିଲ୍ଲା କୁ ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ସମ୍ବୋଧିତ କରିବା ସହ ଚାଷୀ ମାନଙ୍କ ନିମନ୍ତେ ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ସମସ୍ତ କୃଷକ ପରିବାର କିପରି ଏହି ସୁବିଧା ଉପଲବ୍ଧ କରିପାରିବେ ଏବଂ ଆଗାମୀ ରବି ଋତୁ ରେ ଅଧିକ ଡାଲି ଜାତୀୟ ଫସଲ, ତୈଳ ବୀଜ ଚାଷ ପାଇଁ ଚାଷୀ ମାନଙ୍କୁ ଉନ୍ନତ ମାନର ବିହନ, ସାର ,କୀଟନାଶକ ଔଷଧ ଯୋଗାଇବା ପାଇଁ କୃଷି ଅଧିକାରୀ ମାନଙ୍କୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଅଧିକ ରୁ ଅଧିକ ଚାଷୀ ଙ୍କୁ ଚିନାବାଦାମ ଚାଷ ନିମନ୍ତେ ଆବଶ୍ୟକୀୟ ଉପାଦାନ ଯୋଗାଇଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପାଇଁ ଧାର୍ୟ୍ୟ ହୋଇଥିବା ଉତ୍ପାଦନ ଲକ୍ଷ୍ୟ ଏବଂ ବ୍ଲକ୍ ପ୍ରତି ଧାର୍ୟ୍ୟ କରାଯାଇଥିବା ଲକ୍ଷ୍ୟ ପୂରଣ ନିମନ୍ତେ ବ୍ଲକ୍ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଭେଜିଟେବ୍ଲୁ ମିନିକିଟ ଯୋଗାଇଦେବାକୁ ସହକାରୀ ନିର୍ଦେଶକ ଉଦ୍ୟାନ କୃଷି ଙ୍କୁ ନିର୍ଦେଶ ଦେଇଥିଲେ।ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଛତୁ ଓ ଫୁଲଚାଷ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାର ତିର୍ତ୍ତୋଲ, ବିରିଡି, ରଘୁନାଥପୁର ଅଂଚଳରେ ଆଖୁଚାଷ କରାଯାଉଛି।ଜିଲ୍ଲା ରେ ଅନୁକୂଳ ମାଟି ର ଆର୍ଦ୍ରତା ଏବଂ ଜଳସେଚନ କୁ ଦୃଷ୍ଟିରେ ରଖି ଆଗାମୀ ରବି ଋତୁ ରେ ୯୦,୯୪୨ ହେକ୍ଟର ଜମିରେ ବିଭିନ୍ନ ଧାନ ଏବଂ ଅଣଧାନ ଫସଲ ଯଥା ଧାନ ୨,୨୨୦ ହେକ୍ଟର, ଡାଲି ଜାତୀୟ ଫସଲ ୬୫,୮୨୦ ହେକ୍ଟର, ତୈଳ ବୀଜ ଜାତୀୟ ୩୧୬୦ ହେକ୍ଟର, ପନିପରିବା ଓ ମସଲା ଜାତୀୟ ୧୮୫୯୦ ହେକ୍ଟର କରାଯିବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ଚଳିତ ରବି ଋତୁରେ କେନାଲ ମାଧ୍ୟମରେ ୨୨,୮୮୨ ହେକଟର,୫୬,୫୨୮ ହେକ୍ଟର ଜମିରେ ଯଥା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ୭୦୦୧ ହେକ୍ଟର , ଅଗଭୀର ନଳକୂପ ମାଧ୍ୟମରେ ୧୮୯୬୬ ହେକ୍ଟର, ସେଚକୂପ ୧୨୦ ହେକ୍ଟର, ଏବଂ ଅନ୍ୟାନ୍ୟ ଜଳ ଉତ୍ସ ରୁ ୭୫୫୯ ହେକ୍ଟର ଜମିରେ ଜଳସେଚନ ପାଇଁ ସ୍ଥିର କରାଯାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଚାଷୀ ମାନଙ୍କୁ ଶତକଡା ୫୦ ଭାଗ ରିହାତି ରେ ବିଭିନ୍ନ କୃଷି ଯନ୍ତ୍ରପାତି ଯୋଗାଇବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସଂଜୀବ କୁମାର ମୁଦା ଲି ‘ କାର୍ୟ୍ୟସୂଚୀ ଅନୁଯାୟୀ ଖରିଫ ଋତୁରେ ଲକ୍ଷ୍ୟ ପୂରଣ ଏବଂ ରବି ଋତୁରେ ବିଭିନ୍ନ ଫସଲ ର ଲକ୍ଷ୍ୟ ଧାର୍ୟ୍ୟ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ। ଏହି ବୈଠକରେ ରାସାୟନିକ ସାର ବ୍ୟବହାର, ଫସଲ ସୁରକ୍ଷା, ବିହନ ବିଶୋଧନ, ଜୈବ ସାର,କୃଷି ଋଣ,ଜଳ ନିଧି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା,ସଏଲ ହେଲଥ କାର୍ଡ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ସମ୍ୱନ୍ୱିତ କୃଷି, ମିଲେଟ ମିଶନ, ଫାର୍ମ ମେକାନାଇ ଜେସନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସୌର ଜଳନିଧି, ବଳରାମ ଯୋଜନା, କାଳିଆ ଯୋଜନା,ଆତ୍ମା ମାଧ୍ୟମରେ କୃଷକ ତାଲିମ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଏଲ୍ ଡି ଏମ୍ ଦମୟନ୍ତୀ ମୁର୍ମୁ , ଉଠା ଜଳସେଚନ ର ନିର୍ବାହୀ ଯନ୍ତ୍ରୀ, ଜଳସେଚନ ଅଧିକ୍ଷଣ ସହକାରୀ ଶ୍ରୀ ପ୍ରଦୀପ କୁମାର ନାୟକ,ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ,ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ,ସମବାୟ ସମିତି ସମୁହ ର ସହକାରୀ ନିବନ୍ଧକ, ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଉପସ୍ଥିତ ଥିଲେ। ଶେଷରେ କୃଷି ଜିଲ୍ଲା ଅଧିକାରୀ ନବ କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *