ଭୁବନେଶ୍ୱର,୦୨/୦୨/୨୦୨୬ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ହରିବାବୁ କମ୍ଭବପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପିର ବରିଷ୍ଠ ନେତା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ପହଞ୍ଚି ଥିଲେ। ମହାମହିମ ଆଜି ଲୋକଭବନରେ ରାତ୍ରିଯାପନ କରିବେ।

୬ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ୩ତାରିଖ ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ପରିଦର୍ଶନ କରି ନାଭି ଗୟାଠାରେ ପୂଜାର୍ଚ୍ଚନା କରିବେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକିର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ସେଦିନ ସନ୍ଧ୍ୟାରେ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କୁ ଦର୍ଶନ କରିବେ। ୪ତାରିଖ ସକାଳେ ମୟୂରଭଞ୍ଜ ଜିଲା ଗସ୍ତ କରି ରାଇରଙ୍ଗପୁର ମହୁଲଡିହାସ୍ଥିତ ଅବକାଶ ଗୃହ ହଲି ଡେ ହୋମ୍ ଉଦ୍ଘାଟନ କରିବା ସହ ସେଠାରେ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ବିଭାଗ ପରିଚାଳିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ କରିବେ।
ପରେ ବୈଦପୁରଠାରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ଉଦ୍ଘାଟନ କରିବେ। ୪ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମରହିଛି। ୫ତାରିଖ ସକାଳେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରଠାରେ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ଣରେ ଶିମିଳିପାଳ ଗସ୍ତ କରିବେ। ୬ତାରିଖ ସକାଳେ ସେଠାରେ ମହିଳା ଏବଂ ଆଦିବାସୀ ଗୋଷ୍ଠୀର ଯୁବବର୍ଗଙ୍କ ସହିତ ବାର୍ତ୍ତା ବିନିମୟ କରିବେ। ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ସରକାର ଏବଂ ଗ୍ଲୋବାଲ ଫିନାନ୍ସ ଟେକ୍ନୋଲୋଜି ନେଟ୍ୱର୍କର ମିଳିତ ଆୟୋଜନରେ ଅନୁଷ୍ଠିତ ‘ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୭ତାରିଖ ସକାଳୁ ଭୁବନେଶ୍ୱର ବିମାନ ବନ୍ଦରରୁ ଛତିଶଗଡ଼ ଅଭିମୁଖେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।
