# ୧୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ୭୧ ନୂତନ ପ୍ରକଳ୍ପକୁ ଅନୁମୋଦନ
# ସେତୁ ସହ ବନ୍ଧରା ନିର୍ମାଣ ଦ୍ୱାରା ଯୋଗାଯୋଗ ସହ ବୃଦ୍ଧି ପାଇବ ଜଳ ସରଂକ୍ଷଣ, ଭୂତଳ ଜଳସ୍ତର
# ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ପାଇଁ ସୁଯୋଗ ସୃଷ୍ଟି
ଭୁବନେଶ୍ୱର,୩୦/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନ ସଂକଳ୍ପର ପ୍ରମୁଖ ଦିଗ ହେଉଛି ଗ୍ରାମୀଣ ବିକାଶ । ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ସେତୁ ସହ ବନ୍ଧରା ପ୍ରକଳ୍ପଗୁଡିକ ହେଉଛି ସେହି ଦିଗରେ ଏକ ଅଭିନବ ପ୍ରୟାସ । ଏହା ଦ୍ୱାରା ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବା ସହ ସେଠାକାର ଜଳସ୍ତର ବୃଦ୍ଧିପାଇ ଗ୍ରାମୀଣ ଅର୍ଥନୀତି ଓ ଜନସାଧାରଣଙ୍କ ଜୀବନ ଜୀବିକାରେ ଉନ୍ନତି ହେବାର ସୁଯୋଗ ସୃଷ୍ଟି ହୋଇପାରୁଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଥିବା ସେତୁ ସହ ବନ୍ଧରା ପ୍ରକଳ୍ପଗୁଡିକ ରାଜ୍ୟର ବହୁମୁଖୀ ବିକାଶରେ ଉପାଦେୟ ସାବ୍ୟସ୍ତ ହେଉଛନ୍ତି । ୨୦୨୪ ଜୁନ ରୁ ନଭେମ୍ବର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୧୮ଗୋଟି ‘ସେତୁ ସହ ବନ୍ଧରା’ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ସାରିଥିବାବେଳେ ଆହୁରି ୭୧ ଗୋଟି ପ୍ରକଳ୍ପକୁ ଅନୁମୋଦନ ମିଳିସାରିଛି ।
ଏହି ‘ସେତୁ ସହ ବନ୍ଧରା’ ପ୍ରକଳ୍ପଗୁଡିକର ବହୁବିଧ ଉପଯୋଗିତା ରହିଛି । ଏହା ଦ୍ୱାରା ଗମନାଗମନର ସୁବିଧା ସହ ଜଳ ସରଂକ୍ଷଣ ମଧ୍ୟ କରାଯାଇପାରୁଛି ଯାହା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧିପାଇବ । ଗ୍ରୀଷ୍ମ ଋତୁରେ ଏହି ସଂରକ୍ଷିତ ଜଳକୁ ଚାଷଜମିକୁ ଜଳସେଚନ କରାଯିବା ସହ ବିଶୋଧନ ପ୍ରକ୍ରିୟା ଦ୍ୱାରା ପାନୀୟଜଳ ରୂପେ ମଧ୍ୟ ବ୍ୟବହାର କରାଯାଇପାରୁଛି । ଖରାଦିନେ ଶୁଖିଯାଉଥିବା ‘ନାଳ’ଗୁଡିକର ଜଳସ୍ତର ବୃଦ୍ଧିରେ ଏହି ପ୍ରକଳ୍ପଗୁଡିକ ସହାୟକ ହେଉଛି । ଜଳାଭାବ ଦୂର ହେବା ସହ ଏହି ସଞ୍ଚିତ ଜଳକୁ ଗାଈଗୋରୁ ଓ ଅନ୍ୟାନ୍ୟ ଜୀବଜନ୍ତê ମଧ୍ୟ ପାନୀୟ ଜଳ ରୂପେ ବ୍ୟବହାର କରିପାରୁଛନ୍ତି । ଏହା ନିକଟସ୍ଥ ଅଞ୍ଚଳରେ ତାପମାତ୍ରା ବୃଦ୍ଧିକୁ ରୋକିବା ସହ ମୃତ୍ତିକା କ୍ଷୟକୁ ମଧ୍ୟ ରୋକିପାରୁଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜ ବଜେଟ ଅଭିଭାଷଣରେ ‘ସେତୁ ସହ ବନ୍ଧରା’ ଉପରେ ଗୁରୁତ୍ୱ ଦେଇ ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ସରକାର ରାଫଫ ଫାଉଣ୍ଡେସନ ଥାଇ ଛୋଟ ସେତୁ ଉପରେ ଚେକ୍ ଡ୍ୟାମ୍ / ବ୍ରିଜ୍-କମ୍-ୱେ ର ନିର୍ମାଣ ମାଧ୍ୟମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସେଥିପାଇଁ ବଜେଟରେ ୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ଦ୍ୱାରା ନାଳଗୁଡ଼ିକରେ ଜଳ ସଂରକ୍ଷଣ ହେବା ସହ, କ୍ଷୁଦ୍ର ଜଳସେଚନ, ପଶୁପକ୍ଷୀଙ୍କ ପାନୀୟ ଏବଂ ଭୂତଳ ଜଳ ରିଚାର୍ଜ ସୁନିଶ୍ଚିତ ହେବ ।
ଏହି କ୍ରମରେ ସୁନ୍ଦରଗଡ ଜିଲ୍ଲା ଚନ୍ଦ୍ରପୁର-କୁଳକୁତା ରାସ୍ତାରେ ଫଟାଟାଙ୍ଗର ନାଳ, ଅନୁଗୋଳ ଜିଲ୍ଲା ରେଙ୍ଗାଲି-କୁଲୁମାନିଆଳୁ ରାସ୍ତାରେ ବଳରାମପୁର ନାଳ, କନ୍ଧମାଳ ଜିଲ୍ଲା କୁଡୁତୁଲି ଡମେରିକିଆ ରାସ୍ତାରେ ଥିବା ନାଳ ଦେବଗଡ଼ ଜିଲ୍ଲା ଝରସାହିରୁ ନାକଟିମାଲ ରାସ୍ତାରେ ଥିବା ନାଳରେ ନିର୍ମିତ ସେତୁ ସହ ବନ୍ଧରା ପ୍ରକଳ୍ପଗୁଡିକ ବଳିଷ୍ଠ ଉଦାହରଣ ରୂପେ ସେ ଅଞ୍ଚଳର ବହୁବିଧ ବିକାଶରେ ସାହାଯ୍ୟକାରୀ ହେଉଛନ୍ତି ।
ସେତୁ ସହ ବନ୍ଧରା ନିର୍ମାଣ ଦ୍ୱାରା ଯୋଗାଯୋଗ, ଜଳ ସରଂକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି, କ୍ଷୁଦ୍ର ଜଳସେଚନ, ପାନୀୟଜଳ ଆଦି ବିଭିନ୍ନ ସୁବିଧା ହେଉଥିବାରୁ ଏହା ଗ୍ରାମାଞ୍ଚଳର ସାମଗ୍ରିକ ବିକାଶର ମାଧ୍ୟମ ହୋଇପାରୁଛି । ତେଣୁ ପ୍ରାଥମିକତା ଭିତ୍ତିରେ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ପୂର୍ବରୁ ନିର୍ମିତ ସେତୁ ଓ ନୂତନ ସେତୁଗୁଡ଼ିକରେ ‘ସେତୁ ସହ ବନ୍ଧରା’ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପଗୁଡିକ ରାଜ୍ୟରେ ଗ୍ରାମୀଣ ବିକାଶ ଦ୍ୱାରା ବିକଶିତ ଭାରତ ଗଠନରେ ବିକଶିତ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିପାରିବେ ।
ଏହି ପ୍ରକଳ୍ପ ଗୁଡ଼ିକ ରାଜ୍ୟର ସାମଗ୍ରିକ ବିକାଶରେ ବିଶେଷରୂପେ ସହାୟକ ହେବ ବୋଲି ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମତପ୍ରକାଶ କରିଛନ୍ତି ।
-0-
ବିନାୟକ ମିଶ୍ର,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
