Breaking News : ବଡ଼ବିଲ ପୋଲିସ ର ଏନକାଉଣ୍ଟର

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣା ରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ବଡ଼ବିଲ ପୋଲିସର ଏନକାଉଣ୍ଟର ।

ବଡ଼ବିଲ,୦୧/୦୨/୨୦୨୬ (ଓଡ଼ିଶା ସମାଚାର)- ବଡ଼ବିଲରେ ପୋଲିସର ଏନକାଉଣ୍ଟର । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣାରେ ସଂପୃକ୍ତ ଜଣେ ଡକାୟତ ପୋଲିସ୍ ଏନକାଉଣ୍ଟରରେ  ଗୁରୁତର ଆହତ ହୋଇଛି । ଆହତ ଡକାୟତ ବିହାର ପାଟନା ଜିଲ୍ଲା- ପିପାରା ଅଞ୍ଚଳର ୪୫ ବର୍ଷିୟ ସିପୁ କୁମାର । ସିପୁକୁ ପୋଲିସ୍ ବିହାରରୁ ଗିରଫ କରି ଆଣିବା ପରେ ସୀମାବର୍ତ୍ତି ଟାଙ୍କୁରା ଅଞ୍ଚଳକୁ ନେଇଥିଲା । ସେଠାରେ ସୁନା ଲୁଚାଇ ରଖିଥିବା କଥା ପୋଲିସକୁ କହିଥିଲା ସିପୁ । ମାତ୍ର ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରି ଘଟଣା ସ୍ଥଳରେ ଲୁଚାଇ ରଖିଥିବା ପିସ୍ତଲ ବାହାର କରି ପୋଲିସ୍ ଉପରକୁ ଗୁଳି ଚଳାଇଥିଲା ।

ତେବେ ପୁଲିସ ଆତ୍ମରକ୍ଷା ପାଇଁ ଅଭିଯୁକ୍ତ ସିପୁକୁ ଏନକାଉଣ୍ଟର କରିଥିଲା ।  ପୋଲିସର ଗୁଳି ତା’ର ଡାହାଣ ଗୋଡ଼ରେ ବାଜିଥିଲା । ସେଠାରୁ ତା’କୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା । ପ୍ରାଥମିକ ଚିକିତ୍ସା ପରେ ଅଭିଯୁକ୍ତକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସବ୍ ଇନ୍ସପେକ୍ଟର ବରୋଦା ପ୍ରସନ୍ନ ସାହୁ ଏବଂ ଅମିତ୍ କୁମାର ମହାରଣା ଏହି ଏନକାଉଣ୍ଟରରେ ସାମିଲ ଥିଲେ । ଅଭିଯୁକ୍ତ ସିପୁ କୁମାର ନିକଟରୁ ଏକ ଦେଶୀ ପିସ୍ତଲ ଜବତ କରାଯାଇଛି। ସେ ଓଡ଼ିଶା, ବିହାର ଏବଂ ଝାଡ଼ଖଣ୍ଡରେ ହତ୍ୟା, ସଶସ୍ତ୍ର ଡକାୟତି ଏବଂ ବଟି ଆଦାୟ ଭଳି ବହୁ ମାମଲାରେ ଜଡିତ ଏବଂ ଦୀର୍ଘ ଦିନ ଧରି ଫେରାର ଥିବା ପୋଲିସ୍ କହିଛି ।

ଗତ ୧୯ ତାରିଖ ଦିନ ଦିପହରରେ ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ବନ୍ଧୁକ ମୁନରେ ନଗଦ ୪ ଲକ୍ଷରୁ ଅଧିକ ଟଙ୍କା ଏବଂ ୭ କୋଟିରୁ ଅଧିକ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ ଦୃବୃର୍ତ୍ତ ।  ଗଲା ସମୟରେ ସେମାନେ ସିସିଟିଭି DVR କୁ ମଧ୍ୟ ସାଥିରେ ନେଇଯାଇଥିଲେ । ଲୁଟ ଭିଆଇବା ପରେ ଦୃବୃର୍ତ୍ତମାନେ ବାଇକ୍ ଯୋଗେ ବିଲେଇପଦା ଦେଇ ନୁଆମୁଣ୍ଡି ରାସ୍ତାରେ ଝାଡ଼ଖଣ୍ଡକୁ ଖସିଯାଇଥିଲେ ।

ପରେ ପୋଲିସ ଏହି ଘଟଣାରେ ଝାଡ଼ଖଣ୍ଡ ଧାନବାଦରୁ ୨ ଜଣ (ଜଣେ ସ୍କର୍ପିଓ ଡ୍ରାଇଭର ଏବଂ ଜଣେ ସୁନା ଦୋକାନୀ) ଙ୍କୁ ଏବଂ ଯୋଡ଼ା ଥାନା ସିଆଲଯୋଡ଼ା ଅଞ୍ଚଳରୁ ଜଣେ  (ରେକୀ ରେ ସାହାଯ୍ୟ କରିଥିବା)ଅଭିଯୁକ୍ତକୁ ଗିରଫ କରିଥିଲା ।  ତେବେ ଯେଉଁ ୬ ଜଣ ସିଧାସଳଖ ଡକାୟତିରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ସିପୁ କୁମାର ଜଣେ ବୋଲି ଜଣାପଡିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଏବେବି ଫେରାର ଅଛନ୍ତି । ପୋଲିସ୍ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *