ଭୁବନେଶ୍ୱର,୦୧/୦୨/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାରେ କାର୍ଯ୍ୟ କରୁଥିବା ଅଗଣିତ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଶନିବାର ଅପରାହ୍ନରେ ସୁବାର୍ତାର ସମ୍ପାଦକ ବାଗ୍ମୀ ପ୍ରଦୁ୍ୟମ୍ନ ଶଥପଥୀଙ୍କ ଅଧ୍ୟକ୍ଷତାରେ ଏକ ୮ଜଣିଆ ପ୍ରତିନିଧି ଦଳ, ଲୋକସେବା ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଓଡ଼ିଶାର ଅଗଣିତ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକର୍ତାମାନଙ୍କର ହେଉଥିବା ଅସୁବିଧା ବିଷୟରେ ଅବଗତ କରାଇଥିଲେ । ଆୟକର ବିଭାଗର ଓଡ଼ିଶା ପାଇଁ ଏହି କମିଶନର କାର୍ଯ୍ୟାଳୟ ହାଇଦ୍ରାବାଦଠାରେ କାର୍ଯ୍ୟ କରିବା ଦ୍ୱାରା ଛୋଟ ଛୋଟ ଅନୁଷ୍ଠାନମାନେ ବିନା କାରଣରେ ହାଇଦ୍ରାବାଦ ଦୌଡ଼ିବାକୁ ପଡୁଛି ଓ ଆର୍ଥିକ ବୋଝର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା ।
ଏହି ଅବସରରେ ବିଶ୍ୱଗୁରୁ ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ଡଃ ସଞ୍ଜୟ ବେହୁରା, ଚାଟାର୍ଡ ଅଲେଖ ଚନ୍ଦ୍ର ବେହେରା ଓ ଅଧିବକ୍ତା ଅନନ୍ତ ନାରାୟଣ ସିଂହବାବୁଙ୍କ ଦ୍ୱାରା ଲିଖିତ ପୁସ୍ତକ “ସାମାଜିକ ଓ ଦାତବ୍ୟ ଅନୁଷ୍ଠାନର ମାର୍ଗଦର୍ଶିକା”କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକାର୍ପିତ କରିବା ସହ ଏହି ପୁସ୍ତକଟି ସାମାଜିକ ଓ ଦାତବ୍ୟ ଅନୁଷ୍ଠାନମାନଙ୍କ ପାଇଁ ବିଶେଷ ଉପଯୋଗ ହେବ ବୋଲି କହିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଡଃ ସଞ୍ଜୟ ବେହେରା, ଅଧିବକ୍ତା ପ୍ରଶାନ୍ତ ମିଶ୍ର, ଡଃ ପ୍ରଦୀପ ବିଶ୍ୱାଳ, ଅଧିବକ୍ତା ନଟବର ପଣ୍ଡା, ଚାଟାର୍ଡ଼ ଅଲେଖ ଚନ୍ଦ୍ର ବେହେରା, ସାମ୍ବାଦିକ ଚିରଞ୍ଜିବୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
