ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦାଗସ୍ତ କାର୍ଯ୍ୟକ୍ରମ ସମୀକ୍ଷା କଲେ ସାଂସଦ

ଢେଙ୍କାନାଳ,୩୧/୦୧/୨୦୨୬ (ଓଡ଼ିଶା ସମାଚାର)- ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଦର୍ଶନ ପାଇଁ ଆସନ୍ତାକାଲି ରବିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଯୋରନ୍ଦା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ମହିମା ସ୍ୱାମୀଙ୍କ ଆଶୀର୍ବାଦ ନେବା ସହ ପୀଠର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ । ଆସନ୍ତାକାଲି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋରନ୍ଦାରେ ପହଞ୍ଚିବେ । ମହିମା ଗାଦିର ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ  ରାଜ୍ୟ ସରକାର ଅନୁଦାନ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ଏସବୁ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ଓ ସାଧାରଣ ସଭାକୁ ଉଦ୍‌ବୋଧନ ଦେବେ ଏବଂ  ଶୂନ୍ଯ ମନ୍ଦିର, ଗାଦି ମନ୍ଦିର ଆଦି ଦର୍ଶନ କରିବା ସହ ବାବାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି। ଶନିବାର ଢେଙ୍କାନାଳ ସାଂସଦ  ଶ୍ରୀ ରୁଦ୍ର ନାରାୟଣ ପାଣି ଯୋରନ୍ଦାରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଯୋରନ୍ଦା ମେଳା ଚାଲିଥିବାରୁ ଲକ୍ଷାଧିକ ଜନସମାଗମ ହୋଇଛି। ଜନସାଧାରଣଙ୍କ ଦର୍ଶନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କିଭଳି ସହଜରେ ହୋଇପାରିବ ସେଦିଗରେ ମାନ୍ୟବର ସାଂସଦ ଗୁରୁତ୍ବ ଦେଇଛନ୍ତି । ଗାଦିମନ୍ଦିର, ଶୂନ୍ୟମନ୍ଦିର ସମେତ ସଭାସ୍ଥଳର ପ୍ରସ୍ତୁତି ବୁଲି ଦେଖିଥିଲେ । ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ବର ପାଟିଲ ଉପସ୍ଥିତ ରହି ପ୍ରସ୍ତୁତିକାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଜୋର ଦେଇଥିଲେ । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *