କେନ୍ଦ୍ରାପଡ଼ା,୩୦/୦୧/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୨ତମ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ +୨ ଓ +୩ ବିଭାଗର ୧୦୦,୨୦୦ ଓ ୧୫ଶହ ମିଟର ଦୈାଡ, ଲଙ୍ଗଜମ୍ପ, ହାଇଜମ୍ପ ପ୍ରଭୃତି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ଶାରିରୀକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ନାୟକ ମୁଖ୍ୟଅତିଥି, ଜିଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, କଲେଜ କ୍ରୀଡା ସଂସଦ ଉପସଭାପତି ଡ. ଗୌର ପ୍ରସାଦ ଷଡଙ୍ଗୀ ଯୋଗଦେଇ ରାଜ୍ୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳୁଥିବା କେନ୍ଦ୍ରାପଡାର ପିଲାମାନଙ୍କୁ ପ୍ରଶଂସା କରିଥିଲେ ।
+୩ ବାଳକ ବିଭାଗ ଚମ୍ପିୟନ ସ୍ମୃତିରଞ୍ଜନ ପ୍ରଧାନ, ବାଳିକା ବିଭାଗ ଚମ୍ପିୟନ ସରିତା ପଲେଇ, +୨ ବାଳକ ବିଭାଗ ଚମ୍ପିୟନ ଜାମସେଦ ଖାନ୍, ବାଳିକା ବିଭାଗ ଚମ୍ପିୟନ ପ୍ରଜ୍ଞାସିନୀ ନାୟକଙ୍କୁ ଚମ୍ପିୟନ୍ସ ଟ୍ରଫି ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବାଣିଜ୍ୟ ବିଭାଗ ପ୍ରାଧ୍ୟାପିକା ଡ. ୱାଇ. ପଦ୍ମାବତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶାରିରୀକ ଶିକ୍ଷା ବିଭାଗ ଅଧ୍ୟାପିକା ପ୍ରତିମାରାଣୀ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।
