ସର୍ବଭାରତୀୟ ପାୱାର ଲିଫ୍ଟିଂରେ କେନ୍ଦ୍ରାପଡାର ରୋନିତ ରୋଶନଙ୍କୁ ରୌପ୍ୟ ପଦକ

କେନ୍ଦ୍ରାପଡ଼ା, ୧୧/୭/୨୦୨୪ (ଓଡ଼ିଶା ସମାଚାର)- ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ମଧ୍ୟପ୍ରଦେଶ ରାଜ୍ୟର ଉଜୈନଠାରେ ଆୟୋଜିତ ସର୍ବଭାରତୀୟ ସିନିୟର ପାୱାର ଲିଫ୍ଟିଂ ଚମ୍ପିଅନସିପ୍ ପ୍ରତିଯୋଗିତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ଗ୍ରାମ ନିବାସୀ ନୃସିଂହ ଚରଣ ସ୍ୱାଇଁ ଓ କମଳା ସ୍ୱାଇଁଙ୍କ ନାତି ତଥା ଶିକ୍ଷକ ନିର୍ମଳ କୁମାର ସ୍ୱାଇଁଙ୍କ ୨୧ବର୍ଷୀୟ ପୁତ୍ର ରୋନିତ ରୋଶନ ସ୍ୱାଇଁ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ ରୋନିତ ଦିଲ୍ଲୀ, କୋଲକତା, ଭୁବନେଶ୍ୱର, ରାୟଗଡା ଓ ନେପାଳର କାଠମାଣ୍ଡୁଠାରେ ଆୟୋଜିତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ । ଏବେ ରୋନିତ ଟ୍ରାଇଡେ ଇନଷ୍ଟିଚୁ୍ୟଟ୍ ରେ ବିଟେକ୍ ପଢୁଛନ୍ତି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି । ବିଶେଷ କରି ରାଜ୍ୟର ନୂଆ ସରକାର ଗଠନ ହୋଇଥିବାରୁ କ୍ରୀଡାମନ୍ତ୍ରୀ ତଥା ଜିଲାର କ୍ରୀଡା ବିଭାଗ ଏଭଳି କୃତି ପ୍ରତିଯୋଗୀଙ୍କ ପ୍ରତି ସରକାରୀ ସହାୟତା ତଥା ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହେଉଛି । ଜିଲାର କ୍ରୀଡା କ୍ଷେତ୍ରରେ ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ ତଥା ସରକାରୀ ଚାକିରି ଦେବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *