କେନ୍ଦ୍ରାପଡ଼ା,୨୮/୦୧/୨୦୨୬(ଓଡ଼ିଶା ସମାଚାର)- ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଓ କଂଗ୍ରେସ ଦଳର ସମର୍ଥନରେ କେନ୍ଦ୍ରାପଡାରେ ଓଡିଶା ବନ୍ଦ ପାଳିତ ହୋଇଯାଇଛି । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ, ଟାଟା ପାୱାରର ସ୍ମାର୍ଟ ମିଟର ନାମରେ ଶୋଷଣ ଓ କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ ଗୁଣ୍ଡାଙ୍କ ଦ୍ୱାରା ନବନିର୍ମାଣ ସଂଗଠନର ନେତୃତ୍ୱ ଉପରେ ଆକ୍ରମଣ ପ୍ରତିବାଦରେ ଜାନୁଆରୀ ୨୮ରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା ।
କେନ୍ଦ୍ରାପଡା ଜିଲାର ଦୁହୁରିଆ ଠାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାସ୍ତାରୋକ ଓ ଆନ୍ଦୋଳନ ପୂର୍ବକ ଏହି ଓଡିଶା ବନ୍ଦ ଅନୁଷ୍ଠିତ ହୋଇଯାଇଛି । ନବନିର୍ମାଣ କୃଷକ ସଂଗଠନର ସଭାପତି ଅକ୍ରୁର ପଲେଇ, ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ, କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ବ୍ଲକ କଂଗ୍ରେସ ସଭାପତି ହରିଶ ପଟ୍ଟନାୟକ, ଜିଲା ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଭୂଷଣ ନନ୍ଦ, ରଶ୍ମୀରଞ୍ଜନ ଚୌଧୁରୀଙ୍କ ସମେତ ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ଜଗତଜୀବନ ଦାଶ ପ୍ରମୁଖ ଶତାଧିକ ଲୋକ ଦୁହୁରିଆଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡିମଟର ଛିଡା ହୋଇ ରହିଥିଲା ।
