ଅବକାରୀ ବିଭାଗ ପଞ୍ଝାରେ ୨ ନିଶା ବେପାରୀ

                    ୨୭ ଗ୍ରାମର ହେରୋଇନ ଓ ଗୋଟିଏ ମୋଟରସାଇକେଲ ସହ କେଜିଏ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ।ମହିଳାଙ୍କ ସମେତ ଦୁଇ ଗିରଫ।
ଜଗତସିଂହପୁର, ୨୮/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି୨୮ ତାରିଖ ବୁଧବାର ଦିନ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ।

ଜଗତସିଂହପୁର ଥାନା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକ ଙ୍କ ନେତୃତ୍ବରେ ଏକ ଟିମ ନୂଆପୋଲ ଛକ ନିକଟରେ ଜଗି ରହିଥିଲେ। ଅଭିଯୁକ୍ତ ଜଣଙ୍କ ଗ୍ରାହକଙ୍କୁ ହେରୋଇନ ବିକ୍ରି କରିବା ପାଇଁ ଆସିଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ୍ ତାଙ୍କୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୨୭ ଗ୍ରାମର ବେଆଇନ ହେରୋଇନ, ଏକ ହିରୋ ସ୍ପ୍ଲେଣ୍ଡର ମଟରସାଇକେଲ ଏବଂ ଏକ ଆଣ୍ଡ୍ରଏଡ ଫୋନ ଜବତ କରାଯାଇଥିଲା , ଯାହାର ଆନୁମାନିକ ମୂଲ୍ୟ ୩,୨୦,୦୦୦ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଜଣକ ହେଲେ ସିଂହାରପୁର ଗ୍ରାମର ଅଶୋକ ସିଂଙ୍କ ପୁଅ ଜିତେନ୍ଦ୍ର ସିଂ(୩୮)।

ସେହିପରି ଅନ୍ୟ ଏକ ଘଟଣାକ୍ରମ ତିର୍ତ୍ତୋଲ ତହସିଲଦାର ଶ୍ରୀ ମହେଶ୍ଵର ବେହେରାଙ୍କ ଉପସ୍ଥିତ ରେ ତିର୍ତ୍ତୋଲ ଅବକାରୀ ଥାନାର ସବ୍-ଇନ୍ସପେକ୍ଟର ସ୍ମିତା ପଟ୍ଟନାୟକଙ୍କ ନେତୃତ୍ବରର ଅନ୍ୟ ଏକ ଟିମ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରଥିପୁର ଛକରେ ଚଢାଉ କରି ୧ କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବ୍ୟବସାୟରେ ଜଡିତ ଥିବା ବାଇଁଗୋଳ ଗ୍ରାମର ପଦ୍ମନାଭ ମହାନ୍ତିଙ୍କ ପତ୍ନୀ ରୁନୁ ମହାନ୍ତି(୪୨) ଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୨,୦୦୦ ଟଙ୍କା ହେବ।

ଆଜିର ଏହି ଚଢାଉ ରେ ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ର ଏ ଏସ୍ ଆଇ ସନ୍ତୋଷ ନାୟକ, ଏ ଏସ୍ ଆଇ ପିନାକୀ ରଞ୍ଜନ ରାଉତରାୟ, କନଷ୍ଟେବଳ ସବିତା ନାୟକ, ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ ଏବଂ ତିର୍ତ୍ତୋଲ ଅବକାରୀ ଥାନାର କନଷ୍ଟେବଳ ସୁମନ୍ତ ମହନ୍ତ, କଲ୍ୟାଣୀ ସେଠୀ ପ୍ରମୁଖ ସାମିଲ ଥିଲେ।
ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ଦୁଇଟି ଅଲଗା ଅଲଗା ମାମଲାରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ନାର୍କୋଟିକ୍ସ ବ୍ୟବସାୟ ବିରୁଦ୍ଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ୟସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *