ଭୁବନେଶ୍ୱର,୨୭/୦୧/୨୦୨୬ (ଓଡ଼ିଶା ସମାଚାର)- ଛାତ ଉପରେ ବୋମା ଭିଡିବା ବେଳେ ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗରରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରେ ଡିସିପି ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଘର ଭଡା ନେଇଥିବା ସାହାନାଜ ଅଲ୍ଲୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସାହାନାଜ ଅଲ୍ଲୀ ନାଁରେ ହତ୍ୟା, ବିସ୍ଫୋରଣ, ଗଣ୍ଡଗୋଳ ଭଳି ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଯାହାକୁ ନେଇ ପୋଲିସ ଖୋଳତାଡ଼ କରୁଛି । ତାଙ୍କ ନାଁରେ କମିସନରେଟ ପୋଲିସ ଅଞ୍ଚଳରେ ୬ରୁ ଅଧିକ ମାମଲା ରହିଛି । ସାହାନାଜ, ତାଙ୍କ ମା’, ବାନ୍ଧବୀ ଏବଂ ସାଙ୍ଗ ଆହତ ହୋଇଛନ୍ତି । ଅପରାଧ ଘଟାଇବାକୁ ଭଡାରେ ଘର ନେଇ ବୋମା ତିଆରି କରୁଥିଲେ । ଘର ମାଲିକଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରୁଛି ।
