ଯୁବପିଢି ଆଗକୁ ଆସି ଦେଶକୁ ଏକ ସୁଦୃଢ ଗଢି ତୋଳିବାକୁ ଆହ୍ୱାନ
କେନ୍ଦ୍ରାପଡ଼ା,୨୭/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ଖେଳ ପଡିଆରେ ଜିଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଂଚଳ ରାଜସ୍ୱ ଆଯୁକ୍ତ ଗୁହା ପୁନମ ତାପସ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ସାଧାରଣତନ୍ତ୍ର ଦିବସର ମହତ୍ୱ କହିବା ସହିତ ଯୁବପିଢ଼ି ଆଗକୁ ଆସି ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିବାକୁ ଆହ୍ୱାନ କରିଥିଲେ । ଏହାଛଡା ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ତୁଳସୀ କ୍ଷେତ୍ରର ମହତ୍ୱ, ଭିତର କନିକା ଜାତୀୟ ଉଦ୍ୟାନ, ହୁକିଟୋଲା, ପେଣ୍ଠ ସମୁଦ୍ର ବେଳାଭୂମି ସହିତ ଜିଲାର ହସ୍ତତନ୍ତ୍ର କଥା ଉପସ୍ଥାପନ କରିଥିଲେ । ଜିଲାସ୍ତରୀୟ ପ୍ୟାରେଡରେ ମୋଟ ୩୧ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ପ୍ୟାରେଡକୁ ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ପରିଚାଳନା କରିଥିବା ବେଳେ ସେକେଣ୍ଡ -ଇନ- କମାଣ୍ଡ ଇନସପେକ୍ଟର ଅକ୍ଷୟ କୁମାର ଘଡାଇ ତାଙ୍କୁ ସହଯୋଗ କରିଥିଲେ ।

ଚିତାକର୍ଷକ ପ୍ୟାରେଡ ପ୍ରଦର୍ଶନରେ ଏନସିସି ବର୍ଗରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜର ବାଳକ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ଦଳ ଦ୍ୱିତୀୟ ଏବଂ କେନ୍ଦ୍ରାପଡ଼ା ହାଇସ୍କୁଲର ଏନସିସି ତୃତୀୟ ସ୍ଥାନ ଅଧିକାରୀ କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ସେହିପରି ସିନିୟର ସିଭିଲିୟାନରେ କେନ୍ଦ୍ରାପଡ଼ା କଲେଜର ମାଇଁ ଏନସିସି ଆଲୁମିନି ଆସୋସିଏସନ ପ୍ରଥମ ହୋଇଥିବା ବେଳେ ଭାରତୀ ବିଦ୍ୟା ମନ୍ଦିର ଦ୍ୱିତୀୟ ଏବଂ ସେ ଜାଭିଆର ହାଇସ୍କୁଲ, ଗୋପ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜୁନିୟର ବର୍ଗରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ, ଜେନିଥ ଇଂଟରନେସନାଲ ସ୍କୁଲ ଦ୍ୱିତୀୟ ଏବଂ କଲେଜ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା ।
ଏତଦ୍ବ୍ୟତୀତ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ୭୭ଜଣ ଛାତ୍ରୀଙ୍କ ଦ୍ୱାରା ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହିତ ବିଭିନ୍ନ କ୍ରୀଡା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲାକୁ ଗୌରବାନ୍ୱିତ କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ସୁନ୍ଦର ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରି ଜିଲା ଶିଶୁ ସୁରକ୍ଷା ବିଭାଗ ପ୍ରଥମ, ଜିଲା ସ୍ୱାସ୍ଥ୍ୟ ସମିତି ଦ୍ୱିତୀୟ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ତୃତୀୟ ସ୍ଥାନ ଅଧିକାରୀ କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହାପରେ ପଡିଆରେ ସେ ଜାଭିୟର ହାଇସ୍କୁଲ ଗୋପ, ପଲ୍ଲୀଶ୍ରୀ ମହିଳା ସମିତି ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ, କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲ, ନେତାଜୀ ମଡେଲ ସ୍କୁଲ ଏବଂ ଅଙ୍କୁର ଶିକ୍ଷା ନିକେତନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ୟାରେଡ କାର୍ଯ୍ୟକ୍ରମ ପରେ ମୁଖ୍ୟଅତିଥି ସ୍ଥାନୀୟ ଜିଲା କାରାଗାରରେ ଅନ୍ତେବାସୀ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ମିଷ୍ଟାନ୍ନ ଏବଂ ଫଳ ବଂଟନ କରିଥିଲେ ।
