ନିରାକାରପୁର, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)- ଦୋକାନ ଖାଲି ଲୋକ ଦେଖାଣିଆ କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଗାଡ଼ିଗୁଡ଼ିକୁରୁ ତେଲ କାଟି ଚୋରାରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର। ଏଥିପାଇଁ ଯୋଜନାବଦ୍ଧ ଭାବେ କିଛି ଅସାଧୁ ବେପାରୀ ଜାତୀୟ ରାଜପଥ କଡ଼ରେ ଅସ୍ଥାୟୀ ପାନ, ଜଳଖିଆ ଦୋକାନ ଖୋଲି ଏହି ବେପାର କରିବାକୁ ଆପଣେଇ ନେଇଛନ୍ତି। ଫଳରେ ଏହାର ପାଖାପାଖି ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକ ବେଶ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ କି କମ ପରିଶ୍ରମ ରେ ଅଧିକ ଲାଭ କରି ରାତାରାତି ବଡ ଲୋକ ହେବାର ସ୍ବପ୍ନ ଏବେ ସମସ୍ତଙ୍କୁ କବଳିତ କରିଥିବାବେଳେ ୧୬ ନଂ ଜାତୀୟ ରାଜପଥର ରାମେଶ୍ବର ଛକ ଠାରୁ ଟାଙ୍ଗୀ ପର୍ୟ୍ୟନ୍ତ କିଛି ଅସାଧୁ ବେପାରୀ ବେପାର ନାମରେ ଅସ୍ଥାୟୀ ଦୋକାନ ଖୋଲି ବିଭିନ୍ନ ଗାଡ଼ିର ଚାଳକ ମାନଙ୍କୁ ହାତ ଗୁଞ୍ଜା ଦେଇ ତେଲ କାଟି ସେହି ତେଲକୁ ଅପମିଶ୍ରିତ କରି ତେଲ ପମ୍ପ ନିର୍ଦ୍ଧାରିତ ମୂଲ୍ୟ ଠାରୁ କମରେ ବିକ୍ରି କରି ବେଶ୍ ଦୁଇ ପଇସା କମାଇବାରେ ସଫଳ ହେଉଛନ୍ତି। କିନ୍ତୁ ଏ ସବୁକୁ ପ୍ରଶାସନ ଅଣଦେଖା କରି ନୀରବଦ୍ରଷ୍ଟା ସାଜିଛି।ଏଣେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କରିଥିବା ପେଟ୍ରୋଲ ପମ୍ପ ଗୁଡ଼ିକ ବେଶ୍ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ବ୍ୟବସାୟୀମାନେ ନିଜର ଅସ୍ଥାୟୀ ଦୋକାନ ଗୁଡ଼ିକ ଆଗରେ ବଡ ବଡ଼ ତେଲ ଜାର୍କିନ ରଖି ଅସାଧୁ ଗାଡି ଚାଳକ ଙ୍କୁ ତେଲ ବିକ୍ରି କରିବାକୁ ଇଶରା ଦେଉଛନ୍ତି। ଏପରିକି ଏମାନେ ଗାଡିଗୁଡିକ ରୁ ଖୁଲମ୍ ଖୋଲା ଭାବରେ ଦିନ ଦ୍ୱିପ୍ରହରରେ ତେଲ କାଟି ରଖୁଥିବା ଓ ବିକ୍ରି କରାଯାଉଥିବା ଉପରେ ପ୍ରଶାସନର ନଜର ପଡୁନି। ଏ ବିଷୟରେ କିଛି ତେଲ ଟାଙ୍କି ବାଲା ବାରମ୍ବାର ଅଭିଯୋଗ କରୁ ଥିଲେ ବି କେହି ଶୁଣୁ ନ ଥିବାର ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ଏହି ସବୁ ଅଞ୍ଚଳ ରେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଖୁଲମ ଖୋଲା ଗାଡ଼ିରୁ ତେଲ କଟା ଯାଉଛି: ପ୍ରଶାସନ ନୀରବଦ୍ରଷ୍ଟା
