ଭୁବନେଶ୍ୱର,୨୭/୦୧/୨୦୨୬(ଓଡ଼ିଶା ସମାଚାର)-ବିଶିଷ୍ଟ ଶିକ୍ଷାବିତ୍, ସାରସ୍ୱତ ସାଧକ, ଗବେଷକ ତଥା ସଂଗଠକ ସ୍ବର୍ଗତଃ ପ୍ରଫେସର ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନଙ୍କ ସ୍ମୃତିସଭା ପାଳନ କାର୍ଯ୍ୟକ୍ରମ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ମାଘ ଶୁକ୍ଳ ସପ୍ତମୀ ତଥା ତା. ୨୫.୦୧.୨୦୨୬ରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି।
ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ମାନନୀୟା ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ, ଗବେଷକ, କୃତବିଦ୍ୟ ସ୍ରଷ୍ଟା ତଥା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. କାହ୍ନୁଚରଣ ପାଢ଼ୀଙ୍କୁ ୮ମ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ-୨୦୨୫ ରେ ସମ୍ମାନିତ କରିବାସହ ମାନପତ୍ର, ଉପଢୌକନ, ଶ୍ରୀଫଳ ସହିତ ଅର୍ଥରାଶି ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଲେ ଯେ ଡ. ପ୍ରଧାନଙ୍କ ଭଳି ଗବେଷକ ମନୋବୃତ୍ତି ନେଇ ଓଡ଼ିଆ ସାହିତ୍ୟର ଅନାଲୋଚିତ ଦିଗକୁ ସାହିତ୍ୟିକମାନେ ଉଜାଗର କରନ୍ତୁ। ସମ୍ବର୍ଦ୍ଧନାର ଉତ୍ତରରେ ଡ. ପାଢ଼ୀ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ଡ. ନଗେନ୍ଦ୍ରନାଥ ପ୍ରଧାନଙ୍କ ରଚିତ ‘ବେଦ ବନ୍ଦିତା ସରସ୍ଵତୀ’ ଗ୍ରନ୍ଥର ଉଦାହରଣ ଦେଇ ତାଙ୍କର ଗବେଷଣାତ୍ମକ ସାହିତ୍ୟ ସାଧନା ଓ ସାଙ୍ଗଠନିକ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ ।
ପରିଷଦର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟବକ୍ତା ଭାବେ ଶ୍ରୀ ସୁଦର୍ଶନ ନାୟକ(ଆଇଏଏସ) ଯୋଗ ଦେଇଥିବାବେଳେ ଏକାଡ଼େମୀର ସଚିବ ଡ. ଚନ୍ଦ୍ରଶେଖର ହୋତା, ପରିଷଦର ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥି ଓ ବକ୍ତାମାନେ ଡ. ପ୍ରଧାନଙ୍କ ପ୍ରେରଣାଦାୟୀ ଜୀବନ ଯାତ୍ରା ଉପରେ ଆଲୋକପାତ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ସେ ଦେଖିଥିବା ସ୍ଵପ୍ନକୁ ପୂରଣ କରିବା ପାଇଁ ଆହ୍ଵାନ ଦେଇଥିଲେ। ଡ. ଦୁର୍ଗାମାଧବ ପୃଷ୍ଟିଙ୍କ ରଚିତ ‘ଓଡ଼ିଆ ସାହିତ୍ୟରେ କବି ଦୀନକୃଷ୍ଣ’; ଡ. ଭବାନୀ ଶଙ୍କର ପଟେଲଙ୍କ ଦ୍ୱାରା ଡ. ପ୍ରଦୀପ୍ତ କୁମାର ଦାଶଙ୍କ ମୂଳ ଓଡ଼ିଆ ପୁସ୍ତକ ‘ବ୍ରଜବିହାରୀ ସାହିତ୍ୟ – ଏକ ଅଧ୍ୟୟନ’ ର ହିନ୍ଦୀ ଅନୁବାଦ ପୁସ୍ତକ ଏବଂ ଡ. ଅମୂଲ୍ୟରତ୍ନ ମହାନ୍ତିଙ୍କ ଦ୍ୱାରା ସୁରେଶ ସୋନିଙ୍କ ଲିଖିତ ହିନ୍ଦୀ ପୁସ୍ତକର ଓଡ଼ିଆ ଭାଷାନ୍ତର “ଆମ ସାଂସ୍କୃତିକ ବିଚାରଧାରାର ମୂଳ ଉତ୍ସ” ବାଚସ୍ପତି ମହୋଦୟାଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ “ଓଡ଼ିଆ ସାହିତ୍ୟରେ ଆତ୍ମବୋଧରୁ ବିଶ୍ଵବୋଧ” ଶୀର୍ଷକ ଆଲୋଚନାଚକ୍ର ପରିଷଦର ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା କିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରଟସ ଡ. ରଘୁନାଥ ପଣ୍ଡା, ଡ. କାହ୍ନୁଚରଣ ପାଢ଼ୀ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଏହି ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଅତିଥି ଓ ଶ୍ରୋତା ଉପସ୍ଥିତ ଥିଲେ। ଡ. ନିରୋଦ କୁମାର ମନ୍ତ୍ରୀ ମଞ୍ଚ ପରିଚାଳନା କରିଥିବା ବେଳେ ଡ. କଲ୍ୟାଣୀ ମିଶ୍ର ମାନପତ୍ର ପାଠ କରିଥିଲେ ଏବଂ ଡ. ଅଭିଷେକ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।
