ପୁଅକୁ ହତ୍ୟା କରାଯାଇଥିବା ବାପାର ଜୁନାଗଡ଼ ଥାନା ରେ ଅଭିଯୋଗ ।
ଜୁନାଗଡ଼,୦୨/୦୪/୨୦୨୫ (ଓଡ଼ିଶା ସମାଚାର /ରାକେଶ କୁମାର ବେମାଲ)- ଜୁନାଗଡ଼ ରୁ ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରେ କାର୍ୟ୍ୟରତ ବେଡ଼ ରୋଲରଙ୍କ ମୃତ୍ୟୁ କୁ ନେଇ ଆଜି ତାଙ୍କ ବାପା ପୁଅକୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ନେଇ ଜୁନାଗଡ଼ ଥାନାରେ ଆଜି ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗୁଡା ଗ୍ରାମର ପତିତପାବନ ଦୁର୍ଗାଙ୍କ ପୁଅ ଲକ୍ଷ୍ମୀକାନ୍ତ ଦୁର୍ଗା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରେ ବେଡ଼ ରୋଲର ଭାବେ କାର୍ୟ୍ୟ କରୁଥିଲେ । ଗତ ମାର୍ଚ୍ଚ ୨୯ ତାରିଖରେ ଭୁବନେଶ୍ୱର ଜୁନାଗଡ଼ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ର କୋଚ ନଂ ବି-୩ ରେ ସେ ଥିଲେ । ଟ୍ରେନ ଭୁବନେଶ୍ୱର ରୁ ଫେରୁଥିବା ସମୟରେ ବ୍ରହ୍ମପୁର ନିକଟରେ ବେଡ଼ ରୋଲର ଲକ୍ଷ୍ମୀକାନ୍ତ ଦୁର୍ଗାଙ୍କୁ କୌଣସି ଦୁର୍ବୁତ୍ତମାନେ ମରଣାନ୍ତକ ଆକ୍ରମଣ କରି ଟ୍ରେନ ରୁ ଫୋପାଡ଼ି ଦେଇଥିଲେ । ପରେ ଏନେଇ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପରିବାର ଲୋକେ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ଆଜି ଲକ୍ଷ୍ମୀକାନ୍ତଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ବ୍ରହ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର ତଦନ୍ତ କରି ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଆଜି ସନ୍ଧ୍ୟାରେ ବହୁଜନ ସଂଗ୍ରାମ ସମିତିର ସହଯୋଗରେ ଲକ୍ଷ୍ମୀକାନ୍ତଙ୍କ ବାପା ପତିତପାବନ ଦୁର୍ଗା ଜୁନାଗଡ଼ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଏହି ପ୍ରତିନିଧିଦଳରେ ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ ଜାଲ, ସମ୍ପାଦକ ସୁଶାନ୍ତ ନାଏକ ,ପୂର୍ନେନ୍ଦୁ ମାଝୀ, ରତନ ଧଙ୍ଗଡାମାଝୀ, କାଉନସିଲର ହିମାଦ୍ରୀ ସିନ୍ଦୁର,ନରେନ୍ଦ୍ର କ୍ଷୀତି, ମିନୁ କନ୍ଦପାନ,ରାଜେଶ ଦୁର୍ଗା ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।
