ଖୋର୍ଦ୍ଧା,୨୪/୦୧/୨୦୨୬ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ସର୍ବାଧିକ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ଚମ୍ପାଇଲୋ ସଂଲଗ୍ନ ସାନବାଡ଼ ଗ୍ରାମରେ “ଓଡିଶା ସାହିତ୍ୟ ଏକାଡେମୀ” ଓ ରାଜ୍ୟସ୍ତରୀୟ ସାହିତ୍ୟ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ “ମେଘମହ୍ଲାର” ମିଳିତ ସହଯୋଗରେ ଏକ ଦିବସୀୟ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଡକ୍ଟର ରଣଜିତ୍ କୁମାର ପରିଡା ଯୋଗଦେଇ “ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନାରେ ଖୋର୍ଦ୍ଧା ଜିଲ୍ଲାର ବରପୁତ୍ରମାନଙ୍କ ସାରସ୍ୱତ ଅବଦାନ” ଶୀର୍ଷକ ଆଲୋଚନା ରଖିଥିଲେ। ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ନବକିଶୋର ସାମନ୍ତରାୟ ଯୋଗଦେଇ ସ୍ଥାନୀୟ ସାନପଦର ଗ୍ରାମରେ ଜନ୍ମ ହୋଇଥିବା ବୈଷ୍ଣବ କବି ଭକ୍ତଚରଣ ଦାସଙ୍କ “ମନବୋଧ ଚଉତିଶା” ଓ “ମଥୁରା ମଙ୍ଗଳ” ସରଳ ସାବଲୀଳ ତଥା ଭାବ ଗମ୍ଭୀର କାବ୍ୟିକ ଶୈଳୀର ଅବତାରଣା କରିଥିଲେ।
ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ କାଳିଚରଣ ଜୟସିଂହ ଯୋଗଦେଇ ସ୍ଥାନୀୟ ବାଙ୍କୋଇ ଗ୍ରାମରେ ଜନ୍ମହୋଇଥିବା କବି ଅନଙ୍ଗ ନରେନ୍ଦ୍ରଙ୍କ “ଶ୍ରୀରାମଲୀଳା” ସମ୍ପର୍କରେ ତାଙ୍କର ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ବିଶିଷ୍ଟ ବକ୍ତା ଭାବରେ ଡ଼କ୍ଟର ସିତୁପ୍ରକାଶ ରଥ ଭଞ୍ଜ ସାହିତ୍ୟ ସହ ଅନଙ୍ଗ ନରେନ୍ଦ୍ରଙ୍କ ଶ୍ରୀରାମଲୀଳାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ଦନେଇ ଦାସଙ୍କ “ଗୋପୀଭାଷା” ଓ ପିଣ୍ଡିକ ଶ୍ରୀଚନ୍ଦନଙ୍କ “ବସନ୍ତ ରାସ” ବିଷୟରେ ବର୍ଣ୍ଣନା କରିଥିଲେ। କବିତା ଆସରକୁ କବି ଡ଼କ୍ଟର ବଂଶୀଧର ମହାପାତ୍ର ଓ କବୟିତ୍ରୀ ଶକୁନ୍ତଳା ମଲ୍ଲିକ ସଂଯୋଜନା କରିଥିଲେ। କବି ଭକ୍ତବଲ୍ଲଭ ପଟ୍ଟନାୟକ, ପ୍ରମୋଦ କୁମାର ଦଳବେହେରା, ସୁମତି ଦେଈ, ସରୋଜିନୀ ଦାଶ, ସାନନ୍ଦ କୁମାର ସାହୁ, ଦିଲ୍ଲୀପ କୁମାର ପଣ୍ଡା, ପୁଣ୍ୟଦର୍ଶିନୀ ଦିବ୍ୟାଭାରତୀ, ସରୋଜିନୀ ପାଟଶାଣୀ, ସୁଦର୍ଶନ ସାହୁ, ସବିତା ନନ୍ଦ, ଦେବାଶିଷ ମହାନ୍ତି, ମୋନାଲିସା ନନ୍ଦ ପ୍ରମୁଖ ୫୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ।
ମେଘମହ୍ଲାରର ପ୍ରତିଷ୍ଠାତା କବି ପାରିଜାତ ପୂର୍ଣ୍ଣଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ପରିଚୟ ପ୍ରଦାନ କରିବା ସହିତ ଆଲୋଚନାର ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। ଏକାଡେମୀ ତରଫରୁ ସମସ୍ତ କବି ସାହିତ୍ୟିକ ମାନଙ୍କୁ ପାରିତୋଷିକ ପ୍ରଦାନ କରିବା ସହିତ ସମ୍ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ମେଘମହ୍ଲାର ସମ୍ପାଦିକା ଆରତି ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ସଦସ୍ୟ ପ୍ରମୋଦ କୁମାର ପ୍ରତାପସିଂହ ଓ ଓମ ପ୍ରକାଶ ମହାଦେବ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
