ସମ୍ବଲପୁର କୁଲୁଣ୍ଡି ସ୍ଥିତ ‘ଶାରୀରିକ ଶିକ୍ଷା ମହାବିଦ୍ୟାଳୟ’ରେ ଇନଡୋର ଷ୍ଟାଡିୟମ ଉଦଘାଟିତ

ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳକୁଦ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

  • ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ
  • ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବ
  • ବ୍ୟାଡମିଣ୍ଟନ ଖେଳିବା ସହ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ
  • ପ୍ରଧାନମନ୍ତ୍ରୀଙ୍କ “ଖେଳିବ ଭାରତ ତ’ ବଢ଼ିବ ଭାରତ” ବିଚାରକୁ ଆଗେଇ ନେବା
  • ନୂତନ ‘ଜାତୀୟ ଶିକ୍ଷା ନୀତି’ରେ କ୍ରୀଡ଼ାକୁ ପାଠ୍ୟକ୍ରମର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି
  • କଲେଜ ପରିସରରେ ‘କର୍ମଚାରୀ ଆବାସ’ର ମଧ୍ୟ ଉଦଘାଟନ କଲେ

କୁଲୁଣ୍ଡି/ସମ୍ବଲପୁର, ୨୪/୦୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର କୁଲୁଣ୍ଡି ସ୍ଥିତ ‘ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ’ (ଜିସିପିଇ) ପରିସରରେ ପ୍ରାୟ ୧୦ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ‘ଇନଡୋର ଷ୍ଟାଡିୟମ’ ଏବଂ ‘କର୍ମଚାରୀ ଆବାସ’ର ଶୁଭ ଉଦଘାଟନ କରିଛନ୍ତି  ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଷ୍ଟାଡିୟମର ପ୍ଲାକ୍ ଉନ୍ମୋଚନ କରିବା ସହ ଫିତା କାଟି ଏହାର ଉଦଘାଟନ କରିଥିଲେ  । ଉଦଘାଟନ ପରେ ଶ୍ରୀ ପ୍ରଧାନ ନିଜେ ଇନଡୋର ହଲରେ ବ୍ୟାଡମିଣ୍ଟନ ଖେଳିବା ସହ କ୍ରୀଡ଼ା ପ୍ରଦର୍ଶନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ  । ଏହା ସହ ସେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ  ।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ଖେଳିବ ଭାରତ ତ’ ବଢ଼ିବ ଭାରତ” ସଂକଳ୍ପ ଅନୁଯାୟୀ କେବଳ ପାଠ ପଢ଼ିଲେ ହେବ ନାହିଁ, ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳକୁଦ ମଧ୍ୟ ଅପରିହାର୍ଯ୍ୟ  । ନୂତନ ‘ଜାତୀୟ ଶିକ୍ଷା ନୀତି’ରେ କ୍ରୀଡ଼ାକୁ ପାଠ୍ୟକ୍ରମର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି  । ଆଜି ଲୋକାର୍ପିତ ଏହି ଇନଡୋର ଷ୍ଟାଡିୟମ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବ ଏବଂ ନୂତନ କର୍ମଚାରୀ ଆବାସ ଦ୍ୱାରା ଶିକ୍ଷାଦାନ କାର୍ଯ୍ୟ ଅଧିକ ସୁବ୍ୟବସ୍ଥିତ ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଓ ଉଚ୍ଚ ଶିକ୍ଷା, କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ  । ସମସ୍ତ ଅତିଥି କଲେଜ ପରିସରରେ ଆୟୋଜିତ ଏକ ପ୍ରଦର୍ଶନୀ ଭଲିବଲ୍ ମ୍ୟାଚ୍ ଉପଭୋଗ କରିବା ସହ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ  ।

Leave a Reply

Your email address will not be published. Required fields are marked *