ନିଖିଳ ଓଡିଶା ନାଇଟ ୱାଚମ୍ୟାନ ଆଣ୍ଡ ୱାର୍ଡ ଓ ହାଉସ କିପିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ଧାରଣା

କେନ୍ଦ୍ରାପଡ଼ା,୨୧/୦୧/୨୦୨୬(ଓଡ଼ିଶା ସମାଚାର)-ନିଖିଳ ଓଡିଶା ନାଇଟ ୱାଚମ୍ୟାନ ଆଣ୍ଡ ୱାର୍ଡ ଓ ହାଉସ କିପିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ବକେୟା ପାରିଶ୍ରମିକ ପ୍ରଦାନ ଦାବିରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ବିଦ୍ୟାଳୟର ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଓ ବିଦ୍ୟାଳୟର ସୁରକ୍ଷା ପାଇଁ ରାତିରେ ଜଗିବା, ଝାଡୁ କରିବା ସହିତ ନିଜ ଜୀବନରୁ ପାଣି ଛଡାଇ ଦେଶର ଭବିଷ୍ୟତ ଆଶା ରଖି କାର୍ଯ୍ୟ କରୁଥିବା ରାତ୍ର ଜଗୁଆଳ ଓ ଝାଡୁଦାରମାନଙ୍କ ୧୮ମାସର ବକେୟା ପାରିଶ୍ରମିକ ତୁରନ୍ତ ପ୍ରଦାନ ଦାବିରେ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା ।

ଏହି ଉପଲକ୍ଷେ ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପଦେଷ୍ଟା ଆଇନଜୀବୀ ରମଣୀରଂଜନ ରାଉତରାୟ,ସମାଜସେବୀ କେଦାରନାଥ ସାମନ୍ତରାୟ, ସିପିଆଇ ଜିଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ନାରୀନେତ୍ରୀ ସଂଯୁକ୍ତା ରାଉତ, ଅଧ୍ୟାପକ ଅଜୟ ସାମଲ, ଅଜୟ କୁମାର ଦାସ,ସମ୍ପାଦିକା ଝରଣା ବେହେରା, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ।

ଶେଷରେ ଧାରଣାସ୍ଥଳରେ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ପହଂଚି ଧାରଣାକାରୀଙ୍କ ସହ ଆଲୋଚନା କରି ତୁରନ୍ତ ବକେୟା ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଘର ବିଭିନ୍ନ ବ୍ଲକର ପ୍ରତିନିଧି ଭାବେ ପବିତ୍ର ସାହୁ, ପ୍ରକାଶ କବି, ପବିତ୍ର ଦାସ, ପ୍ରମୋଦ କୁମାର ନାୟକ, ଚିନ୍ମୟ କୁମାର ସିଂହ, ବିରେନ ବିଶ୍ୱାଳ, ମଧୁସ୍ମିତା ବେହେରା, ଜଗନ୍ନାଥ ପଣ୍ଡା, ନମିତା ନାଥଶର୍ମା ପ୍ରମୁଖ ଶତାଧିକ ସଦସ୍ୟ ଧାରଣାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *