ପାନୀୟ ଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ
ଭୁବନ ୨୧/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ପଞ୍ଚାୟତ ସମିତି ର ନବମ ସାଧାରଣ ଅଧିବେଶନ ନିଳକଣ୍ଠପୁରସ୍ଥ ରାଜସ୍ବ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି,କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ବାଚିତ ପ୍ରତିନିଧି ମାନଙ୍କ ସହମତିରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବ ବିବରଣୀ ପାଠ କରାଯାଇ ଏହାକୁ ସର୍ବ ସମ୍ମତ କ୍ରମେ ଦୃଢ଼ୀକରଣ କରାଯାଇଥିଲା ।
ସହିଦ ବୀର ବାଜି ରାଉତ ଙ୍କ ଜନ୍ମମାଟି ନିଳକଣ୍ଠପୁର କୁ ଐତିହ୍ୟ ଗ୍ରାମ ଘୋଷଣା କରାଯାଇଥିବା ବେଳେ ସହିଦ ଙ୍କ ଜନ୍ମ ଶତବାର୍ଷିକୀ ପାଳନ ପୂର୍ବରୁ ଗ୍ରାମର ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ମାଘ ମାସ ଅଧାରୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଗ୍ରୀଷ୍ମ ଋତୁରେ ଯେଭଳି କୌଣସି ସ୍ଥାନରେ ପାନୀୟ ଜଳ ପାଇଁ ସମସ୍ୟା ସୃଷ୍ଟି ନହୁଏ ,ସେଥିପ୍ରତି ଗୁରୁତ୍ବ ଦେବାକୁ ସରପଞ୍ଚ , ସମିତି ସଭ୍ୟ ମାନେ ଦାବି କରିଥିଲେ । ଅଚଳ ନଳକୂପ ଗୁଡ଼ିକୁ ସଚଳ କରାଯିବ ଓ ଦୁର୍ଗମ ଅଞ୍ଚଳ କୁ ଟ୍ୟାଙ୍କଉ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ କହିଥିଲେ । ସରପଞ୍ଚ ,ସମିତି ସଭ୍ୟ ମାନେ ରାସନ କାର୍ଡ,ଧାନମଣ୍ଡି ସମ୍ପର୍କରେ ଆଲୋଚନା କରିଥିଲେ ।
ଉପାଧ୍ୟକ୍ଷା ସରୋଜିନୀ ଦ୍ବିବେଦୀ,ଜିଲ୍ଲା ପରିଷଦ ସଭ୍ୟ ଶିଲାରାଣୀ ସାହୁ,ରମେଶ ଚନ୍ଦ୍ର ସାହୁ,ସୁବାସ ମାଝୀ ଯୋଗଦେଇଥିଲେ । ବିଡ଼ିଓ ଶ୍ରୀମତୀ ଆୟୁଶୀ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର ,ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର ବେହେରା ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
