ଭାରୀଯାନରେ ହେଲପର ନିଯୁକ୍ତି କରାଯାଉ
କେନ୍ଦ୍ରାପଡ଼ା,୨୦/୦୧/୨୦୨୬(ଓଡ଼ିଶା ସମାଚାର)-ରାଜ୍ୟରେ ଏବେ ସଡ଼କ ସୁରକ୍ଷା ମାସ ପାଳନ ହେଉଛି । ଦିନକୁ ଦିନ ବଢି ଚାଲିଛି ସଡ଼କ ଦୁର୍ଘଟଣା । ମୃତାହତ ଓ ଆହତଙ୍କ ସଂଖ୍ୟା ଆକଳନ କରିବାକୁ ସରକାରଙ୍କ ଜୁ ନାହିଁ । କ୍ଷୟକ୍ଷତି ଓ ଦୁଃଖ ଶୋକକୁ ମୁଲ୍ୟାୟନ କଲେ ରାଜ୍ୟ ବଜେଟ ନୁ୍ୟନ ହୋଇଯିବ । ବିଶେଷ କରି ଭାରୀଯାନ ଯୋଗୁଁ ହେଉଥିବା ମରଣାନ୍ତକ ଦୁର୍ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ ପାଇଛି । ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହ ଉଠାଇ ସଡକ ସୁରକ୍ଷା ସମିତି ସଦସ୍ୟ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ଉଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ଆବେଦନ ଦାଖଲ କରିଛନ୍ତି । ଆବେଦନରେ ଉଲ୍ଲେଖ ରହିଛି ଯେ ସଡ଼କ ସୁରକ୍ଷା ଦିବସ, ସପ୍ତାହ, ପକ୍ଷ ଓ ମାସ ପାଳନ ସତ୍ୱେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ । ବିଶେଷତଃ ଭାରୀଯାନ ଚଳାଚଳ ସମୟରେ ଡ୍ରାଇଭରଙ୍କ ସହ ହେଲ୍ପର ରହୁ ନଥିବା ଯୋଗୁଁ ଦୁର୍ଘଟଣାର ଏହା ମୁଖ୍ୟ କାରଣ ଭାବେ ଚିହ୍ନଟ ହେଉଛି ।
ଆଇନଜୀବୀ ଶ୍ରୀ ମହାପାତ୍ର ତାଙ୍କ ଆବେଦନରେ କହିଛନ୍ତି ଯେ ଭାରୀଯାନ ଚାଳକମାନେ ଡ୍ରାଇଭିଂ ସମୟରେ ବାମ ପାର୍ଶ୍ୱ ଉପରେ ଛ ଇଂଚିଆ ମିରରରେ ସଠିକ୍ ନଜର ରଖିପାରୁନଥିବାରୁ ଅନେକ ସମୟରେ ସାଧାରଣ ଲୋକ, ପଶୁ ଓ ସମ୍ପତି କ୍ଷତିଗ୍ରସ୍ତ ହେଉଛି । ଯଦି ଯାନରେ ଏକ ହେଲ୍ପର କିମ୍ବା ସହକାରୀ ଡ୍ରାଇଭର ଥାଆନ୍ତା ତେବେ ଏପରି ଅନେକ ଦୁର୍ଘଟଣା ରୋକାଯାଇ ପାରିଥାନ୍ତା । ପ୍ରତ୍ୟେକ ଭାରୀଯାନ ନିର୍ମାଣ ସମୟରେ ସହକାରୀ ଡ୍ରାଇଭର/ହେଲ୍ପରଙ୍କ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଗାଡିମାଲିକ ଓ ଅପରେଟରମାନେ ଖର୍ଚ୍ଚ ବଂଚାଇବା ଉଦ୍ଧେଶ୍ୟରେ ଏହି ବ୍ୟବସ୍ଥାକୁ ଅନୁସରଣ କରୁନାହାନ୍ତି । ଯାହା ଦୁର୍ଘଟଣା ବୃଦ୍ଧିର ଏକ ବଡ଼ କାରଣ । ଏହି ପରିପ୍ରେକ୍ଷୀରେ ସେ ରାଜ୍ୟ ପରିବହନ କର୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ପ୍ରତ୍ୟେକ ଟ୍ରକ୍, ହାଇୱା ଓ ଟିପର ଭଳି ଭାରୀଯାନ ଗୁଡିକରେ ହେଲ୍ପର ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଉ । ହେଲ୍ପର ବିନା ଯାନ ଚଳାଚଳ କରୁଥିବା ମାଲିକ, ଅପରେଟର ଓ ସେମାନଙ୍କ ସଂଘଗୁଡ଼ିକ ଉପରେ କଠୋର ନିୟମ ଲାଗୁ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି ।
ସଡ଼କ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ବୁଦ୍ଧିଜିବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମର୍ଥନ ମିଳୁଛି । ଯଦି ଏହି ଦାବିକୁ କାର୍ଯ୍ୟକାରୀ କରାଯାଏ, ତେବେ ୮୦ପ୍ରତିଶତ ଦୁର୍ଘଟଣା କମିବା ସହ ବହୁ ମୂଲ୍ୟବାନ ଧନ ଜୀବନ ରକ୍ଷା ପାଇପାରିବ । ଏହି ଗୁରତ୍ୱପୂର୍ଣ୍ଣ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ପୂର୍ବରୁ ଥିବା ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଗଲେ ସମାଜ ଓ ରାଜ୍ୟ ରକ୍ଷା ପାଇଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର ଏହି ଦାବିରେ ରାଜ୍ୟ ପରିବହନ କର୍ତୃପକ୍ଷଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
