ଲକ୍ଷ୍ନୌଠାରେ ବିଧାନସଭାର ସଚିବମାନଙ୍କର ସର୍ବଭାରତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର,୨୦/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲକ୍ଷ୍ନୌଠାରେ ଆୟୋଜିତ ୮୬ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ସହ ୬୨ତମ ବିଧାନସଭାର ସଚିବମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ବିଧାନସଭାର କାର୍ୟ୍ୟଭାର ଓ ପରିସର ବୃଦ୍ଧି ସହ ଅଧିକ କର୍ମଚାରୀମାନଙ୍କ ନିଯୁକ୍ତି, ବିଭିନ୍ନ ରାଜ୍ୟର ବିଧାନସଭାର କର୍ମଚାରୀମାନଙ୍କ ମଧ୍ୟରେ ରହିଥିବା ଦରମାରେ ତାରତମ୍ୟ ଦୂର କରି ଏକକ ବେତନ ବ୍ୟବସ୍ଥା ପ୍ରଚଳନ ସମ୍ପର୍କରେ ନିଜର ଅଭିବ୍ୟକ୍ତିରେ ଗୁରୁତ୍ବାରୋପ କରିବା ସହ କହିଲେ ଯେ ଓଡ଼ିଶା ବିଧାନସଭାର ଅଧିବେଶନ ୨୦୨୪ରେ ୪୨ ଦିନ ଅନୁଷ୍ଠିତ ହୋଇଥିବାବେଳେ ଏହା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବାଧିକ ଏବଂ ଜାତୀୟ ହାରଠାରୁ ଅଧିକ ।

ଜୁନ୍ ୨୦୨୪ରୁ ଜୁନ୍ ୨୦୨୫ ମଧ୍ୟରେ ୬୨ଟି ବୈଠକ ସମ୍ପନ୍ନ ହୋଇଛି । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ନେଭା ମାଧ୍ୟମରେ ସମ୍ପୂର୍ଣ୍ଣ କାଗଜବିହୀନ ବଜେଟ ଉପସ୍ଥାପନ କରିବା ସହ ଏବେ ପେପରଲେସ୍ ହାଉସ୍ ଭାବରେ ପରିଗଣିତ ହେଉଛି । ଏହା ଏବେ ଅନ୍ୟ ରାଜ୍ୟ ପାଇଁ ମଡେଲ ସାଜିଛି । ଆମେ ୧୯୩୭ ମସିହାର ପୁରୁଣା ରେକର୍ଡର ଡିଜିଟାଇଜେସନ୍ କରିବା ସହ ଓଡ଼ିଶା ବିଧାନସଭାର ପାଠାଗାରକୁ ରାଜ୍ୟ ସର୍ବୋତ୍ତମ ପାଠାଗାର ଭାବେ ପ୍ରତିଷ୍ଠିତ କରିପାରିଛୁ ।

ସମ୍ମିଳନୀର ପ୍ରାରମ୍ଭରେ ଉତ୍ତରପ୍ରଦେଶ ବିଧାନସଭାର ପ୍ରମୁଖ ସଚିବ ଶ୍ରୀ ପ୍ରଦୀପ କୁମାର ଦୁବେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିବାବେଳେ ଲୋକସଭାର ମହାସଚିବ ଶ୍ରୀ ଉତ୍ପଳ କୁମାର ସିଂହ ଓ ରାଜ୍ୟସଭାର ମହାସଚିବ ଶ୍ରୀ ପି.ସି. ମୋଦୀ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉତ୍ତରପ୍ରଦେଶ ବିଧାନ ପରିଷ’ର ପ୍ରମୁଖ ସଚିବ ଡ. ରାଜେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ୩୫ଟି ରାଜ୍ୟ ବିଧାନସଭା ଓ ବିଧାନପରିଷଦ ର ସଚିବ ଯୋଗ ଦେଇଥିବାବେଳେ ଓଡ଼ିଶା ସମେତ ତେଲେଙ୍ଗାନା, କର୍ଣ୍ଣାଟକ, କାଶ୍ମୀର, ଗୁଜରାଟ, ନାଗାଲାଣ୍ଡ, ଓ ମଣିପୁରର ସଚିବ ସମ୍ମିଳନୀରେ ଆଲୋଚନାରେ ଅଂଶ ଗ୍ରହଣକରି ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ସମ୍ମିଳନୀରେ ବିଧାନସଭାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ନେଇ ସହମତି ପ୍ରକାଶ ପାଇ ଥିଲା ।
-୦-
ବିଭୂତି ନାୟକ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *