ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ) ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

 ଚାଖି ଖୁଣ୍ଟିଆଙ୍କ ବୀରତ୍ୱ, ଦେଶପ୍ରେମ ଓ ତ୍ୟାଗ ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ:   ଅତିଥି

ଭୁବନେଶ୍ୱର,୨୦/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀର ସନ୍ତାନମାନେ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାଟିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିଥିଲେ, ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ) ଅନ୍ୟତମ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଓ ସେବକ ଥିବା ଚନ୍ଦନ ହଜୁରୀ ନିଜର ବଳିଷ୍ଠ ନେତୃତ୍ୱ, ଦେଶପ୍ରେମ ଓ ଅତୁଳନୀୟ ତ୍ୟାଗ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ ଦେଇଥିଲେ । ତାଙ୍କର ଆଦର୍ଶ, ସଂଗ୍ରାମ ଓ ସମାଜସେବା ଓଡ଼ିଆ ଜନମାନସରେ ସଦାସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାଶ ପଟ୍ଟନାୟକ ଯୋଗଦେଇ ଚନ୍ଦନ ହଜୁରୀଙ୍କ ଦେଶପ୍ରେମ, ବୀରତ୍ୱ ଓ ଐତିହାସିକ ଅବଦାନ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଚନ୍ଦନ ହଜୁରୀ ଏକାଧାରରେ ଜଣେ ବୀର ବିପ୍ଳବୀ, ଦେଶଭକ୍ତ, ସେବକ ଓ ସମାଜ ସଂସ୍କାରକ ଥିଲେ, ଯାହାଙ୍କ ଜୀବନାଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ । ସେ ଏହା ମଧ୍ୟ କହିଛନ୍ତି, ଆମ ଦେଶ ସ୍ବାଧୀନ ହୋଇଛି । ସ୍ବାଧୀନୋତ୍ତର ଭାରତର ନାଗରିକ ଭାବେ ଆମେ ଗର୍ବ ଅନୁଭବ କରୁଥିବାବେଳେ ସ୍ବାଧୀନତା ମୂଳରେ ଥିବା ବିପ୍ଲବୀ ବୀର ଚାଖି ଖୁଣ୍ଟିଆଙ୍କ ପରି ଦେଶ ଓ ଜାତିର ଲକ୍ଷ ଲକ୍ଷ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ଆଜିଭଳି ଦିନରେ ସ୍ମରଣ କରିବା ସହ ଆଗାମୀ ପିଢ଼ିକୁ ସଚେତନ କରିବାରେ ଉତ୍ତରଦାୟିତ୍ବ ଆମର ବୋଲି ନିର୍ଦ୍ଦେଶକ ଶ୍ରୀ ଦାଶ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଚାଖି ଖୁଣ୍ଟିଆ ସ୍ମୃତି ସମିତିର ସଭାପତି ଡ଼ ବସନ୍ତ ପତି କହିଛନ୍ତି, ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ଓଡିଶାର ହୋଇ ଦେଶମାତୃକା ପାଇଁ ଅତୁଳନୀୟ ସଂଗ୍ରାମ ଓ ତ୍ୟାଗର ନିଦର୍ଶନ ଛାଡିଯିବା ସହ ସମଗ୍ର ଭାରତବର୍ଷରେ ଓଡ଼ିଶାର ମହିମାକୁ ପ୍ରଚାରପ୍ରସାର କରିପାରିଥିଲେ । ସେହିପରି ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା  ରାଜ୍ୟ ସଂଗ୍ରହାଳୟର ପ୍ରାକ୍ତନ ଅଧୀକ୍ଷକ  ଡ଼ ଜୟନ୍ତୀ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ଯେ ଚାଖି ଖୁଣ୍ଟିଆଙ୍କ ପରି ଦୃଢମନା ଯୋଦ୍ଧା ହିଁ ଝାନ୍ସୀରାଣୀ ଲକ୍ଷ୍ମୀବାଈଙ୍କ ମନରେ ଅଦମ୍ୟ ସାହସ ସଂଚାର କରିପାରିଥିଲେ । ସେ ଥିଲେ ଓଡ଼ିଆ ଅସ୍ମିତା, ଚେତନା ଏବଂ ଦେଶପ୍ରେମର ପ୍ରତୀକ । ଇତିହାସ ତାଙ୍କୁ ସର୍ବଦା ସ୍ମରଣ କରୁଥିବ ।

ସେହିପରି ସମ୍ବର୍ଦ୍ଧିତ ଅତିଥି ଭାବେ ଯୋଗ ଦେଇଥିବା ପ୍ରଫେସର ପ୍ରମୋଦ ଚନ୍ଦ୍ର ରଥ, ପ୍ରାକ୍ତନ ପ୍ରଫେସର, ସ୍କୁଲ ଅଫ ଲାଇଫ ସାଇନ୍ସ, ଜେ. ଏନ. ୟୁ, ନୂଆଦିଲ୍ଲୀ ଉପସ୍ଥିତ ରହି ଚନ୍ଦନ ହଜୁରୀଙ୍କୁ ମହାପ୍ରଭୁଙ୍କ ସେବକ ବୋଲି ବିବେଚିତ କରିଥିଲେ ଏବଂ ଉତ୍କଳ ମାଟି ମା ର ସୁଯୋଗ୍ୟ ସନ୍ତାନ ବୋଲି ମତପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ,ପ୍ରଫେସର ରଥଙ୍କୁ ସ୍ମୃତି ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିପ୍ଲବୀ ଚାଖି ଖୁଣ୍ଟିଆଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ଚନ୍ଦନ ହଜୁରୀଙ୍କ ଦାୟଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ ଉପସ୍ଥିତ ଥିଲା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଲୋକସମ୍ପର୍କ ଅଧିକାରୀ ରୋଜାଲିନ୍ ସାହୁ ମଞ୍ଚ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ଗୁରୁବୀର ସିଂ, ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ବେହୁରିଆ,  ଜୟଦେବ ଭବନ ଉପନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

-0-

ରୋଜାଲିନ୍ ସାହୁ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *