“ସଇନ୍ଦା ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ”ର ୪୯ତମ ବାର୍ଷିକ ଉତ୍ସବ ପାଳିତ

କଟକ,୧୬/୦୧/୨୦୨୬(ଓଡ଼ିଶା ସମାଚାର)- ସ୍ଥାନୀୟ ତେଲେଙ୍ଗାପେଣ୍ଠ ସ୍ଥିତ “ସଇନ୍ଦା ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ”ର ୪୯ତମ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ସୁନାମଧନ୍ୟା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତାରାଣୀ ସାହୁ ସଭାର ପରିଚାଳନା ପାଇଁ ସଭାପତି ପଦ ଅଳଙ୍କୃତ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ବାଗ୍ମୀ ତଥା କଟକ ସଦର ପ୍ରତି ଲୋକଙ୍କ ହୃଦୟରେ ବସିଥିବା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଭର୍ତୃହରି ମହାତାବ, କଟକ ସଦର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି, କଟକ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ ଅନ୍ୟ ସମ୍ମାନିତ ଅତିଥି ରୂପେ ଯୋଗଦେବା ସହ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସୁଖଦୁଃଖର ସାଥି ଶ୍ରୀଯୁକ୍ତ ଡ. ଶରତ କୁମାର ରଥ ବିଦ୍ୟାଳୟକୁ କିପରି ଆଗେଇ ନିଆଯିବ ଏବଂ ଏହା କଟକର ଏକ ନମ୍ବର ବିଦ୍ୟାପୀଠରେ ପରିଣତ ହେବ ସେଥିପ୍ରତି ଆଲୋକପାତ କରିଥିଲେ ।

ଏହି ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ସଂକୀର୍ତନ ମହାକୁମ୍ଭ-୨୦୨୪ର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସାହୁ ବିଦ୍ୟାଳୟର ଉତରୋତର ଉନ୍ନତି ପାଇଁ ଏକ ବିଶାଳ ପ୍ରାର୍ଥନାଗୃହ ସଭାର କଂକ୍ରିଟ୍ ଛାତ କରାଇବା ପାଇଁ ମାନ୍ୟବର ସାଂସଦ ଓ ବିଧାୟକଙ୍କୁ ଅନୁରୋଧ ରଖିଥିଲେ । ଏହାପରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାସିନୀ ସୂତାର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହାପରେ ବିଦ୍ୟାଳୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କୁନିକୁନି ପିଲାଙ୍କ ଦ୍ୱାରା “ମଁ ଟିକି ପରଜାପତି, ଗଣେଶ ଜନ୍ମ’ ନାଟକ ଆଦି ପରିବେଷଣ କରାଯାଇଥିଲା ଓ ଦର୍ଶକଙ୍କ ମନ ମୋହିନେଇଥିଲା । ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଡଃ ଦେବେନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଭାପତି ଶ୍ରୀମତୀ ସ୍ମିତାରାଣୀ ସାହୁ ସଭାସାଙ୍ଗ କରି ସଭାକୁ ସ୍ଥଗିତ ରଖିଥିଲେ । ପରିଶେଷରେ ମାନ୍ୟବର ସାଂସଦ ଓ ବିଧାୟକ ଆସନ୍ତା ୧ ବର୍ଷ ମଧ୍ୟରେ ବିଦ୍ୟାଳୟ ଚାରିପଟେ ଏକ ସୁଦୀର୍ଘ ପାଚେରୀ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *