ପାଟକୁରା ୧୬/୦୧/୨୦୨୬ (ଓଡିଶା ସମାଚାର)- ଗରଦପୁର ବ୍ଲକର ସର୍ବ ପୁରାତନ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମଶ୍ରୀ ବିଦ୍ୟାଳୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ନରେନ୍ଦ୍ରପୁର ଠାରୁ କୋରୁଆ ସରକାରୀ ହାଇସ୍କୁଲ ପର୍ୟ୍ୟନ୍ତ ପାଛୋଟି ନିଆଯାଇଥିଲା ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲ୍ଲିକ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ଆମେ ଚାକିରି ନକରି ଚାକିରି ଦେବା ନିମନ୍ତେ ପରାମର୍ଶ ଦେବା ସହ ଏହି ପିଏମଶ୍ରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ରୂଚି ରଖି ନିଜ ପସନ୍ଦର ପାଠ ପଢିଲେ ଜଣେ ବିଦ୍ୟାର୍ଥୀ ସେଥିରେ ଖୁବ ଭଲ ପ୍ରଦର୍ଶନ କରିବ ଓ ଏହାଦ୍ୱାରା ବୈଷୟିକ ଶିକ୍ଷାର ବିକାଶ ହେବ । ଏଥିପାଇଁ ୨୦୨୦ ଜାତୀୟ ଶିକ୍ଷାନୀତିରେ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ପ୍ରଥମରୁ ବୈଷୟିକ ଶିକ୍ଷା ପ୍ରତି ବିଦ୍ୟାର୍ଥୀ ମାନଙ୍କୁ ଆକୃଷ୍ଟ କରାଇବା ଏହି ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ । ଫଳରେ ବିଦ୍ୟାର୍ଥୀ ଜଣକ ଆତ୍ମନିର୍ଭରଶିଳ ହୋଇ ପାରିବ ।
ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ, ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ,ପଞ୍ଚସଖା ଶିକ୍ଷା ସେତୁ ସଭାପତି ଗୋପିନାଥ ଖୁଣ୍ଟିଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନେ ଉତ୍ତମ ଚରିତ୍ର ଗଠନ କରି ରାଷ୍ଟ୍ର ଗଠନରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପାଣି, ରମାକାନ୍ତ ତ୍ରିପାଠୀ ଓ ରଘୁନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇ ପିଏମଶ୍ରୀ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ ।
ଏହି କାର୍ୟ୍ୟକ୍ରମ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାଛଡା ଏହି ଯୋଜନା ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଷ୍ଟଲ ଖୋଲାଯାଇ ସେମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳର ବାର୍ତ୍ତା ଦିଆଯାଇ ଥିଲା । ବିଦ୍ୟାଳୟ ର ଶିକ୍ଷକ ନୃସିଂହ ଜେନା , ଅମିତ୍ କୁମାର ସାହୁ ଓ ଶିକ୍ଷୟତ୍ରୀ ସଂଯୁକ୍ତା ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
