ଅରିଲୋ ଧାନ ମଣ୍ଡି ସ୍ଥାନ ବିବାଦ ତୁଟିଲା,ଚାଷୀଙ୍କ ମୁହଁରେ ହସ ଫୁଟିଲା

କଟକ ସଦର,୧୬/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ତହସିଲ ଅନ୍ତର୍ଗତ ଅରିଲୋ କୃଷକ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ସ୍ଥାନ ନିରୂପଣ କୁ ନେଇ ଲାଗିରହିଥିବା ବିବାଦ ଶେଷରେ ପ୍ରଶାସନିକ ସ୍ତରରେ ସମାଧାନ ହୋଇ ଥିବାରୁ ଆଶା ଓ ଆଶଙ୍କାରେ ଥିବା ଚାଷୀମାନଙ୍କ ମୁହଁରେ ହସ ଫେରିଛି।

ପ୍ରକାଶ ଯେ ଧରିଣା, ସୋମପୁର ଓ ଅରିଲୋ ଗ୍ରାମ ପଞ୍ଚାୟତ କୁ ନେଇ ପୁରାତନ ଅରିଲୋ କୃଷକ ସେବା ସମବାୟ ସମିତି କାର୍ଯ୍ୟ କରିଆସୁଛି। ସମିତି ନିକଟରେ ଗମନାଗମନ ଓ ପାରିପାର୍ଶ୍ବିକ ସୁବିଧା ସୁଯୋଗ ନଥିବା ରୁ କଟକ ପାରାଦୀପ ରାସ୍ତାର ସୋମପୁର ଠାରେ ଆଜକୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ ଧାନ ମଣ୍ଡି ହୋଇ ଆସୁଥିଲା। ହେଲେ ଏବେ ସେ ସବୁର ସୁବିଧା ହୋଇଯାଇଥିବା ରୁ ସମିତି ଯେଉଁଠି ମଣ୍ଡି ସେଇଠି କରିବାକୁ ଚାଷୀମାନେ ଦାବି କରୁଥିଲେ ମଧ୍ୟ ଆଉ କିଛି ଚାଷୀ ସେମାନଙ୍କର ସୁବିଧା ଦୃଷ୍ଟିରୁ ପୁରୁଣା ସୋମପୁର ଠାରେ ମଣ୍ଡି ଖୋଲିବାକୁ ଦାବି କରିଥିଲେ।

ଏଥିପାଇଁ କିଛି ଦିନ ହେଲା ସପକ୍ଷ ଓ ବିପକ୍ଷ ଚାଷୀମାନଙ୍କ ମଧ୍ୟରେ ଲାଗି ରହିଥିବା ଟଣାଓଟରା ଯୋଗୁଁ ମଣ୍ଡି ଖୋଲିବାକୁ ଅଚଳାବସ୍ଥା ସୃଷ୍ଟି ‌ହୋଇଥିଲା। ଏଥିରେ ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିଥିବା ଜଣାପଡିଛି। ହେଲେ ମଣ୍ଡି ଅରିଲୋ ଠାରେ କେବେ ଖୋଲାଯିବ ସେ ସମ୍ପର୍କରେ ଚାଷୀ, ସମିତି ସଭ୍ୟ ଓ କ୍ରୟ କମିଟି ସଭ୍ୟମାନଙ୍କୁ ନେଇ ଏକ ବୈଠକରେ ସ୍ଥିର କରାଯିବ ବୋଲି ସଂପାଦକ ପ୍ରଦୀପ୍ତ ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *