ଘୃଣା ନୁହେଁ, ଭଲପାଇବା ହେଉଛି ଭାରତୀୟତା–ହର୍ଷ ମନ୍ଦେର

ଗାନ୍ଧୀ ଶାନ୍ତିପ୍ରତିଷ୍ଠାନ ବକ୍ତୃତା ମାଳା

ଭୁବନେଶ୍ୱର,୧୫/୦୧/୨୦୨୬ (ଓଡ଼ିଶା ସମାଚାର)-  ଭାରତୀୟତା କହିଲେ କୌଣସି ଘୃଣା ବା ବିଭେଦ ଓ ବିଦ୍ବେଷ ନୁହେଁ। ଭାରତୀୟତା ହେଉଛି ପରସ୍ପରକୁ ଭଲପାଇବା–ଜାତି, ଧର୍ମ, ବର୍ଣ୍ଣ  ନିର୍ବିଶେଷରେ ସମସ୍ତଙ୍କର ଅଧିକାରକୁ ସମ୍ମାନ ଦେବା – ଏହା କହିଛନ୍ତି ଆଇଏଏସ ଚାକିରିରୁ ଇସ୍ତଫା ଦେଇ ଦେଶରେ ଭଲ ପାଇବାର ଭାବନା ପାଇଁ କାମକରୁଥିବା ବିଶିଷ୍ଟ ଲେଖକ ତଥା ଗବେଷକ ଡକ୍ଟର ହର୍ଷ ମନ୍ଦେର। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡ. ମନ୍ଦେର  ଗୁରୁବାର ଗାନ୍ଧୀ ଶାନ୍ତିପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ବର ରୋଟାରୀ ଭବନ ଠାରେ ଆୟୋଜିତ ବକ୍ତୃତାମାଳାରେ ଯୋଗଦେଇ ‘ଆଜିର ସମାଜରେ ଭଲପାଇବାର ଗୁରୁତ୍ବ’ ଶୀର୍ଷକ ରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଭାରତ ବିଭାଜନ ସମୟରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ କିଭଳି ଭାବରେ ପ୍ରାୟ ୧୦ଲକ୍ଷ ଭାରତୀୟ ଙ୍କ ମୃତ୍ୟୁ ହୋଇଥିଲା ତା’ର ଉଲ୍ଲେଖକରି ଏଭଳି ସ୍ଥିତି କେବେ ନହେଉ ସେ କହିଥିଲେ।

ଡ. ମନ୍ଦେର କହିଥିଲେ ଯେ, ମହାତ୍ମାଗାନ୍ଧୀ ସବୁବେଳେ ଭାରତର ଅସ୍ମିତା ଓ ଭାରତୀୟତାକୁ ବଜାୟ ରଖିବାକୁ ଚାହିଁଥିଲେ। ବିଭାଜନ ସମୟରେ ରକ୍ତପାତକୁ ସେ ଆଦୌ ଗ୍ରହଣ କରିପାରିନଥିଲେ। ଅନ୍ୟର ଧର୍ମ ଓ ଅଧିକାରକୁ ମହାତ୍ମାଗାନ୍ଧୀ ସମ୍ମାନ ଦେଉଥିବାରୁ ପାକିସ୍ତାନକୁ ତା’ର ଅଧିକାର ଥିବା ଟଙ୍କା ପ୍ରଦାନ କରିବା ପାଇଁ ଏବଂ ଭାରତରେ ରହୁଥିବା ମୁସଲିମ ମାନଙ୍କୁ ସମ୍ମାନର ସହ ଧାର୍ମିକ ସ୍ଥଳ ଯୋଗାଇଦେବା ପାଇଁ ଯୁକ୍ତି ରଖିଥିଲେ। କୌଣସି ହିଂସା ସ୍ଥାନରେ କେବେ ଧର୍ମ ସ୍ଥଳ ସ୍ଥାପନା ହୋଇପାରେନାହିଁ ବୋଲି ଗାନ୍ଧୀଜୀ ବିଶ୍ବାସ ରଖିଥିଲେ। ତେଣୁ ହିଂସା ଓ ରକ୍ତପାତ ହେଉଥିବା ସ୍ଥାନକୁ ଆମେ  ଦେବସ୍ଥାନ କରିବା ଠିକନୁହେଁ ବୋଲି ମତ ରଖିଡ. ମନ୍ଦେର କହିଥିଲେ ଯେ, ଭାରତବର୍ଷର ବିଭିନ୍ନ ସ୍ଥାନରେ ଘୃଣା ଓ ଭିଡ ହିଂସା ଆମକୁ ଏକ ଭିନ୍ନ ବାତାବରଣକୁ ନେଉଛି। ଜଣେ ଭାରତୀୟ ଭାବରେ ଆମେ କେହି ଏହାକୁ ଆଗକୁ ବଢ଼ିବାକୁ ଦେବା ଠିକ ନୁହେଁ। ଆମେ ଘୃଣା ନୁହେଁ, ଭଲ ପାଇବା ପ୍ରଚାର ଓ ପ୍ରସାର କରିବା ଦରକାର।

କଟକ ଓ ବାଲେଶ୍ବର ଆଦି ବିଭିନ୍ନ ସ୍ଥାନରେ ଘଟୁଥିବା ଘଟଣା ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ବକ୍ତୃତାମାଳା ରେ ସଭାପତିତ୍ବ କରି ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ ସମଗ୍ର ବିଶ୍ବରେ ଆଜିର ସ୍ଥିତିରେ ମାନବ ସମାଜ କିଭଳି ବିକାଶ ଆଡକୁ ଯାଇପାରିବ ଓ ମାନବ ବାଦର ପ୍ରଚାର ସହ ନିଜ ଭିତରେ ଶାନ୍ତି-ସଦଭାବ ବଜାୟ ରହିପାରିବ ସେନେଇ ଗୁରୁତ୍ବ ଆରୋପ କରିଥିଲେ। ଆଗାମୀ ପିଢ଼ିର ଭବିଷ୍ୟତ ଓ ସମସ୍ତଙ୍କର ବିକାଶକୁ ଦୃଷ୍ଟିରେ ରଖି ସମାଜ କାମ କରିବାର ଆବଶ୍ୟକତା ଥିବା କହିଥିଲେ।

ବିଶିଷ୍ଟ ଗାନ୍ଧୀବାଦୀ ତଥା ଉତ୍କଳ ଗାନ୍ଧୀ ସ୍ମାରକନିଧି ର ସଭାନେତ୍ରୀ କୃଷ୍ଣା ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଏବଂ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ପ୍ରମୁଖ ଉଦବୋଧନ ରଖି ମହାତ୍ମାଗାନ୍ଧୀ ଙ୍କ ଆଦର୍ଶ ଓ ବିଚାର ସଂପର୍କରେ ଉଲ୍ଲେଖ କରିଥିଲେଏବଂ ସର୍ବଧର୍ମ ସମନ୍ବୟ ଭାବନାରେ ଭାରତ ଆଗକୁ ବଢ଼ିପାରିବ ବୋଲି କହିଥିଲେ।  ପ୍ରାରମ୍ଭରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡାକ୍ତର ବିଶ୍ବଜିତ ତାଙ୍କର ଅଭିଭାଷଣ ରଖିଥିଲେ।ଏହି ଅବସରରେ ଲେଖିକା ତଥା ସମାଜ ସେବିକା ପ୍ରୀତି ଛନ୍ଦା ଧଳ, ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ, ସମାଜସେବୀ ତଥା ରାଜନେତା ସୁଦର୍ଶନ ଦାସ, ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ ନୀଳମୋହନ ତ୍ରିପାଠୀ, ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ପ୍ରମେଶ ମହାନ୍ତି, ଅବସରପ୍ରାପ୍ତ ପ୍ରିନ୍ସିପାଲ ତଥା ଶିକ୍ଷାବିତ୍. ଗଗନ ବେଉରା ଓ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ତାଙ୍କର ଅଭିମତ ରଖିଥିଲେ। ବାଜିରାଉତ ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ, ସମାଜର ବିଭିନ୍ନ କ୍ଷେତ୍ରରେ କାମକରୁଥିବା ବ୍ୟକ୍ତି ବିଶେଷ, ବହୁଲେଖକ, ଲେଖିକା ଓ ଯୁବଛାତ୍ର ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *