ଭୁବନେଶ୍ୱର,୧୪/୦୧/୨୦୨୬ (ଓଡ଼ିଶା ସମାଚାର)- ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟର ମହାନ୍ ବ୍ୟକ୍ତିତ୍ୱ, ସାହିତି୍ୟକ, ସମ୍ପାଦକ, ଅନୁବାଦକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୩ତମ ଜୟନ୍ତୀ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନାରେ ଭୁବନେଶ୍ୱର ବାଣୀବିହାରସ୍ଥିତ ପ୍ରତିମୂର୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଆ ଭାଷା, ସାହିତ୍ୟ, ରମ୍ୟରଚନା, ସମ୍ପାଦକ ଭାବେ କାର୍ଯ୍ୟ କରିବା, କ୍ଷୁଦ୍ରଗଳ୍ପ, ଆତ୍ମଜୀବନୀ ରଚନା ତଥା ବଳିଷ୍ଠ କାଳଜୟୀ ଲେଖନୀ ମାଧ୍ୟମରେ ସମାଜକୁ ଏକ ସକରାତ୍ମକ ଚିତ୍ର ଦେବାରେ ସକ୍ଷମ ହେବା ସହିତ ବୈପ୍ଲବିକ ପରିବର୍ତନ ଆଣିପାରିଥିଲେ ବୋଲି ସ୍ମୃତିଚାରଣ ପୂର୍ବକ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’, ‘ମାମୁ’, ‘ପ୍ରାୟଶ୍ଚିତ’ ଓ ‘ଲଛମା’ ସହିତ ‘ରେବତୀ’ ଆଜିବି ସମାଜରେ ବହୁ ପ୍ରାସଙ୍ଗିକତା ବହନ କରିଛି । ଏହା ସହିତ ବୋଧ ଦାୟିନୀ, ନବ ବାହିକା ସମ୍ପାଦନ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ଆଗେଇ ନେବାରେ ବେଶ ସହାୟକ ହୋଇଥିଲେ । ଆଜିର ଯୁବପିଢି ସାହିତ୍ୟ ସହିତ ନିଜର ଅନ୍ତର୍ନିହିତ ପ୍ରତିଭାକୁ ରାଷ୍ଟ୍ରର ବିକାଶ ପାଇଁ କାର୍ଯ୍ୟରେ ଲଗାନ୍ତୁ ବୋଲି ମତପ୍ରକାଶ ପାଇଥିଲା ।
ଅନ୍ୟତମ ସମ୍ମାନିତ ଅତିଥି, ଭାଷାପ୍ରାଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଶିକ୍ଷାବିତ୍ ନିରଞ୍ଜନ ପଣ୍ଡା, ଦିଲ୍ଲୀପ ଦାସଶର୍ମା, ଅଦ୍ୱୈତ ପାତ୍ର, ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବିଜୟ ପରିଡ଼ା, ବରିଷ୍ଠ ପତ୍ରକାର କ୍ରାନ୍ତି କୁମାର ସାକସେନ, ରମେଶ ଚନ୍ଦ୍ର ପାତାଳସିଂ, ଲଗ୍ନାଦୀପ ମିଶ୍ର, ସଞ୍ଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ସଂଯୋଜକ ବାପୁ ଓଝା, ଅମିତ ପାଲ ସିଂ, ସଞ୍ଜୟ ପ୍ରଧାନ ଓ ମନୋରଞ୍ଜନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
