ସାଲେପୁର,୧୪/୦୧/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା) ପବିତ୍ର ମକର ସଂକ୍ରାନ୍ତି ଅବସରରେ ସାଲେପୁର ର ମା’ ଭଗବତୀ ଙ୍କ ପୀଠରେ ମକର ମେଳା ଅନୁଷ୍ଠିତ ହୋଇଛି। କଟକ ଜିଲ୍ଲାର ମାଳିକାପ୍ରସିଦ୍ଧ ସାଲେପୁର ବଟେଶ୍ୱର ଗାଁରେ ରହିଥିବା ମା’ ଭଗବତୀଙ୍କ ପୀଠରେ ମକର ମେଳା ଉପଲକ୍ଷେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛନ୍ତି ।

ଭୋର ୪ ଟାରୁ ମା’ଙ୍କ ଦ୍ୱାରଫିଟା ନୀତି ଆରମ୍ଭ ହୋଇଥିଲା । ମହାସ୍ନାନ ପରେ ମା’ଙ୍କୁ ପୁଷ୍ପମାଲ୍ୟ ରେ ସୁସଜ୍ଜିତ କରାଯାଇ ବିଧି ଅନୁସାରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ସକାଳୁ ସକାଳୁ ଗୁପ୍ତଗଙ୍ଗା ଚିତ୍ରୋତ୍ପଳା ନଦୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ମା’ ଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜ ନିଜ ପରିବାରର ଶୁଭ ମନାସି ଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମା’ଙ୍କ ଦିବ୍ୟ ଦର୍ଶନର ଲାଭ କରି କୃତାର୍ଥ ଲାଭ କରିଥିଲେ ଭକ୍ତମାନେ ।
ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ମା’ଙ୍କ ପୀଠରେ ପହଁଞ୍ଚି ପୂଜାର୍ଚ୍ଚନା କରିଥିଲେ ।ଏହି ଦିନ ପବିତ୍ର ମକର ପର୍ବ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଚିତ୍ରୋତ୍ପଳା ଘାଟ ରେ ବିବାହ ମୁକୁଟ ଆଦିକୁ ବିଧି ପୂର୍ବକ ବିସର୍ଜନ କରଥାନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ଯାତ୍ରାରେ ପଡ଼ିଥିବା ଦୋକାନ ବଜାର ରେ ବିଭିନ୍ନ ସାମଗ୍ରୀ ର ବିକ୍ରି ବଟା ହୋଇଥାଏ । ଆଜିର ଏହି ମକର ମେଳା ରେ ସହସ୍ରାଧିକ ଲୋକଙ୍କର ସମାଗମ ହୋଇଛି ।
