ଯାଜପୁରର ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର,୧୨/୦୧/୨୦୨୬ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଯାଜପୁର ଜିଲ୍ଲା ପୂର୍ତ୍ତ ବିଭାଗର ତିନୋଟି ପ୍ରମୁଖ ପ୍ରକଳ୍ପର ଲୋକାର୍ପଣ କରିବା ସହ ଅନ୍ୟ ତିନୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ପୂର୍ତ୍ତ, ଆଇନ ଏବଂ ଅବକାରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏବଂ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କୋମଲ୍ କୁମାର ସ୍ୱାଇଁ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ବୈତରଣୀ ନଦୀ ଉପରେ ଲାଲବାଗ ପାଖ କିଲାଘାଟ- ବେହେରାପାଟଣା ସଂଲଗ୍ନ ସୁଉଚ୍ଚ ସେତୁ ନିର୍ମାଣ, ବନ୍ଦାଳୋ- ଏଣ୍ଡରପଦା ୬.୮ କିମି ରାସ୍ତାର ଉନ୍ନତିକରଣ, ପ୍ରଶସ୍ତିକରଣ, କପିଳାଦେଇ ମଳିଆ ବଳଭଦ୍ରପୁର ୧୫.୭ କିମି ରାସ୍ତାର ଉନ୍ନତିକରଣ, ପାଣିକୋଇଲିରୁ ରଗଡ଼ି ୧୯ କିମି ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଉଦଘାଟନ କରାଯାଇଛି।

ଯାଜପୁର ଓ ପାଣିକୋଇଲି ରାସ୍ତା ଓ କୋଠାବାଡ଼ି ଡିଭିଜନରେ ମୋଟ ୭୨ କୋଟି ଟଙ୍କା ବ୍ୟୟରେ ଉଦଘାଟନ ହୋଇଥିବା ତିନୋଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ଏବଂ ୧୧୨ କୋଟି ଟଙ୍କାର ଅନ୍ୟ ତିନୋଟି ପ୍ରକଳ୍ପର ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି। ଏହାସହ ଓଡ଼ିଶା ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ଦଶରଥପୁର ବ୍ଲକରେ ମୋଟ ୧୧ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମଙ୍ଗଳପୁର-କନିକାପଡ଼ା ଅଟଳ ବସଷ୍ଟାଣ୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଓଏସଆରଟିସି ଜିଲ୍ଲା ପରିଚାଳକ ଅମଲେଶ ସିହ୍ନା, ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେଇଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁରରେ ଷ୍ଟାଫ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ।

Leave a Reply

Your email address will not be published. Required fields are marked *