ଜଗତସିଂହପୁର,୨୧/୦୩/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଯୋଗଧାରୀ ସ୍ଥିତ ପ୍ରଦକ୍ଷଣ ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣର ଯୋଜନା ଅନୁଯାୟୀ ଶିଶୁଙ୍କ ଆଇନଗତ ସେବା ନିମନ୍ତେ ଗଠନ ହୋଇଥିବା ୟୁନିଟ୍ ରେ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ପୁଲିସ ନିରିକ୍ଷକ, ଆଇନ ପରୀକ୍ଷଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟିର ସଦସ୍ୟ ବକ୍ତା ଭାବେ ଯୋଗଦେଇଥିଲେ ।
ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ ଉକ୍ତ ଯୋଜନାର ଉଦେଶ୍ୟ, ଆଭିମୁଖ୍ୟ ଓ ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବାସହ ଶିଶୁଙ୍କ ପାଇଁ ଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ପୁଲିସ ନିରିକ୍ଷକ ଥାନାରେ ଶିଶୁଙ୍କୁ କିପରି ଆଇନ ସେବା ଦିଆଯାଇଥାଏ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।
କିଶୋର ନ୍ୟାୟ ବୋର୍ଡ, ଶିଶୁ ଯତ୍ନ ପ୍ରତିଷ୍ଠାନ, ଶିଶୁଙ୍କ ବିଚାର ପାଇଁ ଉଦିଷ୍ଟ ଅଦାଲତ ଏବଂ ପର୍ଯ୍ୟବେକ୍ଷଣ ଗୃହରେ କିପରି ଆଇନ ସେବା ଦିଆଯାଇପାରିବ ଏହି ବିଷୟରେ ଆଇନ ପରୀକ୍ଷଣ ଅଧିକାରୀ ଆଲୋଚନା କରିଥିଲେ ।
ଅନ୍ୟତମ ବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୋଗଦେଇ ଯତ୍ନ ଓ ସୁରକ୍ଷା ଆବଶ୍ୟକ ଲୋଡୁଥିବା ଶିଶୁ କିପରି ବିଭିନ୍ନ ସ୍ଥାନରେ ଆଇନ ସେବା ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଏହି ୟୁନିଟ୍ ରେ ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ, ଆଇନଜୀବୀ ଏବଂ ଅଧିକାରୀ ମିତ୍ରମାନଙ୍କୁ ତାଲିମ ଦିଆଯାଇଥିଲା । ଯଦି କୌଣସି ଶିଶୁ ଆଇନ ସହାୟତା ଆବଶ୍ୟକ ଲୋଡ଼ୁଥାନ୍ତି ତେବେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସହ ଯୋଗାଯୋଗ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।