ଓଡିଶା ସ୍କିଲ୍ସ ୨୦୨୫-୨୬ ଉଦଘାଟିତ

ଦକ୍ଷ ଯୁବପିଢି ହେଉଛନ୍ତି ବିକଶିତ ଓଡିଶାର ମୂଳଦୁଆ : ମନ୍ତ୍ରୀ

ଭୁବନେଶ୍ୱର,୦୭/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଭୁବନେଶ୍ବରର ବିଶ୍ବ ଦକ୍ଷତା କେନ୍ଦ୍ରରେ ଓଡିଶା ସ୍କିଲ୍ସ ୨୦୨୫-୨୬ର ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ରୂପାନ୍ତରଣର ମୁଖ୍ୟ ଅଂଶ। ଓଡିଶା ସ୍କିଲ୍ସ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଏକ ଏଭଳି ପ୍ଲାଟଫର୍ମ, ଯେଉଁଠି ଯୁବ ପ୍ରତିଯୋଗୀଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ବାସ, ସୃଜନଶୀଳତା ଓ ଉତ୍କର୍ଷ ମନୋବୃତ୍ତି ବୃଦ୍ଧି ପାଏ। ବିକଶିତ ଓଡିଶା ଦକ୍ଷ, ଆତ୍ମବିଶ୍ବାସୀ ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତା ମନୋବୃତ୍ତି ଥିବା ଯୁବପିଢିଙ୍କ ଦ୍ବାରା ଗଠନ ହୋଇପାରିବ। ଓଡିଶା ସ୍କିଲ୍ସ ପ୍ରତିଯୋଗିତାରେ ଏହାର ପ୍ରତିଫଳନ ଦେଖିବାକୁ ମିଳେ ବୋଲି ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି।


ଏହି ପ୍ରତିଯୋଗିତା ସାରା ରାଜ୍ୟରୁ ୫ଶହରୁ ଅଧିକ ଯୁବ ପ୍ରତିଯୋଗୀଙ୍କୁ ଏକାଠି କରିଛି। ସେମାନେ ଶିଳ୍ପର ଆବଶ୍ୟକତା ତଥା ବର୍ଦ୍ଧିତ ପ୍ରଯୁକ୍ତିବିଦ୍ୟା ସହ ୪୯ଟି ଦକ୍ଷତା ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜେତାମାନେ ଜାତୀୟସ୍ତରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ ଏବଂ ପରବର୍ତ୍ତୀ ସମୟରେ ଓ୍ବାର୍ଲଡ ସ୍କିଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଦୁଇବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ସ୍କିଲ୍ସ ପ୍ରତିଯୋଗିତାକୁ ସ୍କିଲ ଅଲିମ୍ପିକ୍ସ ବୋଲି ମଧ୍ୟ କୁହାଯାଏ।

ଚଳିତ ବର୍ଷ ରାଜ୍ୟର ୧୦ଟି ପ୍ରମୁଖ ସ୍ଥାନରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦକ୍ଷତା ବର୍ଗରେ ଓଡିଶା ସ୍କିଲ୍ସ ୨୦୨୫-୨୬ର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ଆସପାୟାର ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଦକ୍ଷତା ପୁରସ୍କାର ପ୍ରଦାନ କରାଯିବ। ଏହା ଉତ୍କର୍ଷକୁ ସ୍ବୀକୃତି ଦେବା ସହ ଯୁବପିଢିଙ୍କୁ ଉଚ୍ଚସ୍ତରର ଦକ୍ଷତା ହାସଲ କରିବାକୁ ପ୍ରୋତ୍ସାହିତ କରିବ। ଛାତ୍ରଛାତ୍ରୀଙ୍କୁ ଓଡିଶା ସ୍କିଲ୍ସ ପ୍ରତିଯୋଗିତାକୁ ଏକ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏକ ପାହାଚ ଭାବେ ଦେଖିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଆହ୍ବାନ କରିଥିଲେ। ପ୍ରତିଯୋଗିତା ଫଳାଫଳରୁ ଶିକ୍ଷା ଗ୍ରହଣ କରିବା ସହ ପ୍ରତିଷ୍ଠାନର ଉନ୍ନତି ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଅନୁଷ୍ଠାନ ଓ ପ୍ରଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସର୍ବୋତ୍ତମ ଅଭ୍ୟାସଗୁଡିକୁ ଚିହ୍ନଟ କରିବା ସହ ଶିଳ୍ପ ମାନଦଣ୍ଡ ସହିତ ପରିଚିତ ହେବା ପାଇଁ ପ୍ଲାଟଫର୍ମକୁ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଶ୍ବ ଦକ୍ଷତା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ, ପ୍ରିନସିପାଲ୍, ଡେପୁଟି ପ୍ରିନସିପାଲ୍, ଶିଳ୍ପ ଅଂଶୀଦାର, ବିଶେଷଜ୍ଞ, ଜୁରୀ ସଦସ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡିଶା ସ୍କିଲ୍ସ ପ୍ରତିଯୋଗିତା ୩ ଦିନ ଧରି ଅନୁଷ୍ଠିତ ହେବ। ଆସନ୍ତା ଜାନୁଆରୀ ୯ ତାରିଖରେ ବିଜୟୀ ପ୍ରତିଯୋଗୀଙ୍କର ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ।
-୦-
ପ୍ରିୟଦର୍ଶନୀ ମହାପାତ୍ର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *