ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ନର୍ସିଂ କ୍ଷେତ୍ରରେ ସଂସ୍କାର, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟାନ୍ୱୟନ କରାଯିବ

ଭୁବନେଶ୍ୱର,୦୬/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଅଧିକାରୀ ଓ ସଚିବ ମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟସ୍ଥଳ ବୁଲି ଦେଖିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯେପରି ଠିକ୍‌ ଭାବରେ ଉନ୍ନତି ହେବ, ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ନର୍ସିଂ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ନର୍ସିଂ ଛାତ୍ରମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ, ସ୍ନାତକମାନଙ୍କର କୌଶଳର ଗୁଣାତ୍ମକ ବୃଦ୍ଧି, ପାଠ୍ୟକ୍ରମରେ ପରିବର୍ତ୍ତନ, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଣାଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ଓଡ଼ିଶାରେ ନର୍ସିଂ ଏବଂ ମିଡ୍‌ ୱାଇଫେରୀ କ୍ଷେତ୍ରରେ ସୁଧାର ନିମନ୍ତେ ବିଶେଷ ଆଲୋଚନା ହୋଇଥିଲା । ମେଡିକାଲ ଶିକ୍ଷାରେ ସିଟ୍‌ ବୃଦ୍ଧି, SCB Medical College, MKCG ଏବଂ VIMSAR ଭଳି ଅନୁଷ୍ଠାନ ମାନଙ୍କରେ Super Specialties Services କୁ ଆହୁରି ବ୍ୟାପକ ଏବଂ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ର ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ ଅନୁମୋଦନ ପାଇଁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2 ବର୍ଷିଆ DNB ଡିପ୍ଲୋମା ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା ହୋଇଥିଲା । ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନର ଉପଲବ୍‌ଧତା ବିଷୟରେ ଆଲୋଚନା ହୋଇଥିଲା । ଏହା ସହିତ SCB କଟକରେ ଟ୍ରମା କେୟାର ନିର୍ମାଣର ଅଗ୍ରଗତି, ଭିତ୍ତିଭୂମି ବିକାଶ ବିଷୟରେ ଆଲୋଚନା ହୋଇଥିଲା ।

ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ବତୀ ଏସ୍., ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକ ଡ. ବୃନ୍ଦା ଡି ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *