ପ୍ରତି ପଞ୍ଚାୟତରେ ଫିଜିଓ ଥେରାପୀ ଚିକିତ୍ସା କେନ୍ଦ୍ର କରିବାକୁ ଦାବି

ଭୁବନ ୨୧/୦୮/୨୦୨୬ (ଓଡ଼ିଶା ସମାଚାର)-୨୦୨୭ ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ କ୍ଷମତାସୀନ ବିଜେପି ସରକାର ଅଣ୍ଟା ଭିଡିଛି। ଗ୍ରାମ ପଞ୍ଚାୟତ ଗୁଡିକୁ ସମୃଦ୍ଧ କରିବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗ୍ରାମ ସମ୍ପଦ ଓ ଗ୍ରାମାଞ୍ଚଳର ବିକାଶ ପାଇଁ ସ୍ଥାୟୀ ସମ୍ପଦ ର ସବୁଜ ,ସୁରକ୍ଷିତ ଏବଂ ସୁଗମ ମଡେଲ କାର୍ଯ୍ୟକାରୀ ହେବ ।

ଏଥି ନିମନ୍ତେ ପ୍ରତି ପଞ୍ଚାୟତକୁ ୧.୫ କୋଟିରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇ ଗ୍ରାମ ସଭା ଜରିଆରେ ପ୍ରତି ପଞ୍ଚାୟତରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ଆଦର୍ଶ ଖେଳ ପଡ଼ିଆ ଓ ଯୁବକ ମାନଙ୍କ ପାଇଁ ଜିମ୍ ନିର୍ମାଣ ହେବ,୪୯ ଲକ୍ଷ ଟଙ୍କାରେ ଆଦର୍ଶ କଲ୍ୟାଣ ମଣ୍ଡପ,୩୪ ଲକ୍ଷ ଟଙ୍କାରେ ଆଦର୍ଶ ପୋଖରୀ,୨୨ ଲକ୍ଷ ଟଙ୍କା ରେ ଶ୍ମଶାନ ,୨୦ ଲକ୍ଷ ଟଙ୍କା ରେ ଗ୍ରାମୀଣ ପାର୍କ ନିର୍ମାଣ କରାଯିବା ସହିତ ପ୍ରତି ପଞ୍ଚାୟତରେ ୭୦୦ ବୃକ୍ଷ ରୋପଣ କରାଯାଇ ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳ ଲୋକ ମାନଙ୍କୁ ସହର ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଘୋଷଣା କରିଛନ୍ତି ।

ବର୍ତ୍ତମାନ ପ୍ରତି ଘରେ ଘରେ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଲୋକମାନେ ମଧୁମେହ,ଉଚ୍ଚ ରକ୍ତଚାପ , ଗ୍ୟାଷ୍ଟ୍ରିକ ସହିତ ବିଭିନ୍ନ ପ୍ରକାରର ରୋଗ ରେ ପୀଡିତ ହେଉଛନ୍ତି । ଏଥିପାଇଁ ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଫିଜିଓ ଥେରାପୀ ସେଣ୍ଟର ପ୍ରତିଷ୍ଠା କରି ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଜଣେ ଲେଖାଏଁ ଟେକ୍ନିସିଆନ ନିଯୁକ୍ତି ଦେବାକୁ ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ବରିଷ୍ଠ ନେତା,ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ନଟବର ସାହୁ ଦାବି କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ,ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ।

ତା ସହିତ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ପ୍ରତି ପଞ୍ଚାୟତରେ ଫିଜିଓ ଥେରାପୀ ସେଣ୍ଟର ପ୍ରତିଷ୍ଠା କଲେ ରୋଗୀ ମାନେ ଗାଁ ରେ ସୁବିଧା ରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ଓ ଟେକ୍ନିସିଆନ ନିଯୁକ୍ତି ଦ୍ୱାରା ଅନେକାଂଶରେ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ଦର୍ଶାଇଛନ୍ତି । ଏହା ପୂର୍ବରୁ ବିଗତ ସରକାର ସମୟରେ ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ଙ୍କ ପାଇଁ ବୈଠକଖାନା କରିବା ଓ ଲୋକଙ୍କ ଦ୍ୱାରା ସିଧା ସଳଖ ନିର୍ବାଚିତ ହେଉଥିବା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥା ଉଠାଇ ଦେବାକୁ ଦୃଢ଼ ଦାବି କରି ଶ୍ରୀଯୁକ୍ତ ସାହୁ ବେଶ୍ ଚର୍ଚ୍ଚାରେ ରହିଥିଲେ ।

Leave a Reply

Your email address will not be published. Required fields are marked *