ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲା, ଅପରାହ୍ନରେ ଆହୁରି ୪ଟି ସ୍ଲୁଇସ୍ ଗେଟ୍ ଖୋଲିବ

ସମ୍ବଲପୁର, ୦୫/୦୯/୨୦୨୫ (ଓଡ଼ିଶା ସମାଚାର)- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ଏବେ ଜଳଭଣ୍ଡାରର ଜଳସ୍ତର ୬୨୬.୬୨ ଫୁଟ ରେ ପହଞ୍ଚିଛି। ହୀରାକୁଦ ପାଣି ଛାଡିବା ପରେ ମହାନଦୀରେ ଜଳସ୍ତର ବଢୁଥିବାରୁ ଏଠାରେ ବନ୍ୟା ଆଶଙ୍କା ରହିଛି । ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଜଳସ୍ତର ବଢିବାରେ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ରମାଗତ ଭାବେ ଗେଟ୍ ଗୁଡିକ ଖୋଲାଯାଉଛି ।

ଗୁରୁବାର ୩ଟି ପର୍ୟ୍ୟାୟରେ ଅଧିକ ୧୦ଟି ସ୍ଲୁଇସ ଗେଟ୍ ଖୋଲାଯାଇ ମୋଟ୍ ୧୬ଟି ସ୍ଲୁଇସ୍ ଗେଟ୍ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା। ମାତ୍ର ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟି ରେ ରଖି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସକାଳେ ପ୍ରଥମ ପର୍ୟ୍ୟାୟରେ ୪ଟି ସ୍ଲୁଇସ୍ ଗେଟ୍ ଖୋଲି ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

ପରବର୍ତ୍ତୀ କାଳରେ ଶୁକ୍ରବାର ଅପରାହ୍ନରେ ପୁଣିଥରେ ଦ୍ବିତୀୟ ପର୍ୟ୍ୟାୟରେ ଜଳଭଣ୍ଡାରର ଆହୁରି ୪ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ୨୪ଟି ସ୍ଲୁଇସ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ। ତେବେ ଶୁକ୍ରବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ମିଳିଥିବା ଶେଷ ସୂଚନା ଅନୁସାରେ ଜଳଭଣ୍ଡାରର ଜଳପତ୍ତନ ୬୨୬.୬୨ ଫୁଟ ରହିଛି।

ଏସମ୍ପର୍କରେ ବୁର୍ଲାସ୍ଥିତ ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ତଥା ମହାନଦୀ ଅବବାହିକା ପ୍ରବନ୍ଧକ ଇଂ. ସୁଶୀଲ ବେହେରା କହିଛନ୍ତି ଯେ, ଆଗକୁ ଆବଶ୍ୟକସ୍ଥଳେ ଜଳଭଣ୍ଡାରର ୨୪ଟି ପର୍ୟ୍ୟନ୍ତ ସ୍ଲୁଇସ୍ ଗେଟ୍ ଗେଟ୍ ଖୋଲାଯାଇ ପାରିବ । ଏହାଦ୍ବାର ମହାନଦୀ ତଳମୁଣ୍ଡରେ ବନ୍ୟା ଜନିତ କୌଣସି ବିପଦର ଆଶଙ୍କା ନାହିଁ। ବର୍ତ୍ତମାନ ଜଳଭଣ୍ଡାରର ସର୍ବନିମ୍ନ ଜଳସ୍ତର ୬୧୯ ଫୁଟ ଓ ସର୍ବାଧିକ ୬୨୭ ଫୁଟ ରହିବା କଥା। ସେହି ଅନୁଯାୟୀ, ସେପ୍ଟେମ୍ବର ୧୧ରେ ୬୨୯ ଫୁଟ ମଧ୍ୟରେ ଏବଂ ସେପ୍ଟେମ୍ବର ୨୧ର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ପ୍ରାୟ ୬୩୦ ଫୁଟ୍ ବଜାୟ ରଖିବାକୁ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *